ବନ୍ୟା କ୍ଷୟକ୍ଷତି ନେଇ ରାଜସ୍ବ ବିଭାଗର ସମୀକ୍ଷା, ବାଲେଶ୍ୱର-ଭଦ୍ରକ-ଯାଜପୁର ଯିବ ଉଚ୍ଚସ୍ତରୀୟ ଟିମ୍

ବନ୍ୟା ସ୍ଥିତି ନେଇ ସମୀକ୍ଷା କଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଜିଲ୍ଲାପାଳ ମାନଙ୍କ ସହ କଥା ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ।୫ ଜିଲ୍ଲାରେ ୬ ଲକ୍ଷ ଲୋକ ପ୍ରଭାବିତ । ଯାଜପୁର, ଭଦ୍ରକ ଏବଂ ବାଲେଶ୍ବରରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ମୟୂରଭଞ୍ଜ ଓ କେନ୍ଦୁଝରରେ ବି ଲୋକ ବି ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ । ୪୬୪ଟି ରିଲିଫ କ୍ୟାମ୍ପରେ ସମସ୍ତ ବ୍ୟବସ୍ଥା କରାଯାଇଛି । ପାଣି ଘେରରେ ରହିଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଛି ବୋଲି କହିଛି ରାଜସ୍ବ ବିଭାଗ ।ମହାନଦୀ ପାଇଁ କଟକ ଏବଂ ଜଗତସିଂହପୁରରେ ବ୍ୟାପକ ପ୍ରସ୍ତୁତି ହୋଇଛି । ରାଜ୍ୟରେ ବର୍ତ୍ତମାନ ବର୍ଷା କମିଛି । ନବରଙ୍ଗପୁର, କୋରାପୁଟ, ବଲାଙ୍ଗିର, କଳାହାଣ୍ଡିରେ ଝିପି ଝିପି ବର୍ଷା ହେଉଛି । ଆଗାମୀ ୩ ଦିନ ବର୍ଷା ନାହିଁ । ୨ ତାରିଖ ପରେ ପୁନର୍ବାର ବର୍ଷା ଆକଳନ କରାଯାଉଛି । ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ନହେବା ଆଶ୍ୱସ୍ତିକର ଖବର । ଆଜି ବନ୍ୟା ପ୍ରଭାବିତ ଅଞ୍ଚଳର ଗସ୍ତ କରିବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ତାଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବେ ।