ବାହୁଡ଼ାରେ ଭିଡ଼ ପରିଚାଳନାକୁ ନେଇ ଆଇନ ଶୃଙ୍ଖଳା, ସୁରକ୍ଷା କ୍ଷେତ୍ରରେ କୌଣସି ସାଲିସ କରାଯିବନି କହିଲେ ମୂଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ନିବେଦନ ମଧ୍ୟ କରିଛନ୍ତି। ସେ ଅଧିକାରୀଙ୍କୁ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ସୁରୁଖୁରୁରେ ସଂପନ୍ନ କରିବାକୁ ସମସ୍ତେ ଯତ୍ନବାନ ରୁହ। ଭିଡ଼ ପରିଚାଳନା, ଠିକ ସମୟରେ ସୂଚନା ପ୍ରଦାନ ସହ ଆଇନ ଶୃଙ୍ଖଳା ଓ ସୁରକ୍ଷାରେ କୌଣସି ପ୍ରକାର ସାଲିସ କରନି। ରଥଯାତ୍ରାରେ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ, ଦୁଇଜଣ ଶ୍ରଦ୍ଧାଳୁଙ୍କ ଜୀବନହାନି ଯୋଗୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତ ଶ୍ରଦ୍ଧାଳୁଙ୍କ ପରିବାରବର୍ଗଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି। ତେବେ ପୁରୀ ସହରରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସଜାଗ ରହି ସମସ୍ତ ବ୍ୟବସ୍ଥାର ନିୟମିତ ପରିଚାଳନା ଓ ତଦାରଖ କରୁଛନ୍ତି। ପହଣ୍ଡି, ରଥଟଣା, ଦକ୍ଷିଣି ମୋଡ, ଆଡପ ମଣ୍ଡପ ଦର୍ଶନ, ପ୍ରତ୍ୟେକ ସମୟରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିୟମିତ ତଦାରଖ କରୁଛନ୍ତି। ବୈଠକରେ ଭିଡ ପରିଚାଳନା ଓ ନିରନ୍ତର ସୂଚନା ସଞ୍ଚାର (Information Flow) ଉପରେ ଅଧିକ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।