ଭାରତୀୟ ସେନାରେ ବଢ଼ିପାରେ ଅଗ୍ନିବୀରଙ୍କ ସଂଖ୍ୟା
‘ଅଗ୍ନିବୀର’ ଯୋଜନା ଦେଶର ସବୁଠାରୁ ଚର୍ଚ୍ଚିତ ସାମରିକ ପଦକ୍ଷେପ ମଧ୍ୟରୁ ଗୋଟିଏ।କିନ୍ତୁ ଅଗ୍ନିବୀର’ମାନେ ଖୁବ ଶୀଘ୍ର କିଛି ଭଲ ଖବର ପାଇପାରନ୍ତି। ଚଳିତ ବର୍ଷ ପ୍ରଥମ ବ୍ୟାଚ ଏହାର ଚାରି ବର୍ଷର କାର୍ଯ୍ୟକାଳ ପୂରଣ କରିବାକୁ ଯାଉଥିବାରୁ ତିନୋଟି ସଶସ୍ତ୍ର ବାହିନୀରେ ଅଗ୍ନିବୀରଙ୍କ ସ୍ଥାୟୀ ନିଯୁକ୍ତି ବୃଦ୍ଧି କରିବା ସମ୍ପର୍କରେ ଆଲୋଚନା ତୀବ୍ର ହୋଇଛି। ବର୍ତ୍ତମାନ ନିୟମାବଳୀ ଅଗ୍ନିବୀରଙ୍କ ଚାରି ବର୍ଷର କାର୍ଯ୍ୟକାଳ ସମାପ୍ତ ହେବା ପରେ ସର୍ବାଧିକ ୨୪ ପ୍ରତିଶତଙ୍କୁ ନିୟମିତ ସୈନିକ ଭାବରେ ରଖିବା ପାଇଁ ଅନୁମତି ଦିଏ। କିନ୍ତୁ ଚର୍ଚ୍ଚା ହେଉଛି ଭାରତୀୟ ନୌସେନା ପ୍ରାୟ ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ରଖିବାର ପ୍ରସ୍ତାବ ଦେଇପାରେ।ଏହା ପଛର ମୁଖ୍ୟ କାରଣ ହେଉଛି, ଗତ ୪ ବର୍ଷ ଧରି ପ୍ରଶିକ୍ଷିତ ହୋଇ ବିଭିନ୍ନ ଅଭିଯାନରେ ଭାଗ ନେଇଥିବା ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ପ୍ରଯୁକ୍ତି ବ୍ୟବହାରରେ ଦକ୍ଷ ସୈନିକମାନଙ୍କୁ ଅଧିକ ସଂଖ୍ୟାରେ ରଖିବାର ଆବଶ୍ୟକତା ଅନୁଭବ କରାଯାଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଏପର୍ଯ୍ୟନ୍ତ କେବଳ ଏକ ପ୍ରସ୍ତାବ। ସରକାର କିମ୍ବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ପରିବର୍ତ୍ତନ ସମ୍ପର୍କରେ କୌଣସି ଆଧିକାରିକ ଘୋଷଣା ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ସ୍ଥାୟୀ ନିଯୁକ୍ତିର ହାର ୨୫% ହିଁ ରହିଛି।