ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ପାଇଁ ପ୍ରସ୍ତୁତି ବୈଠକ । ଅଗଷ୍ଟ ୨୦ରେ ଶିବିର ଆୟୋଜନ ପାଇଁ ନିଷ୍ପତି
ଗଣିଆ (ବିଶ୍ୱରଂଜନ ସେଠି ) ଗଣିଆ ପଚାଂୟତ ସମିତି ସଭାଗୃହ ପରିସରରେ ମଙ୍ଗଳବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ନିମିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଡିଓ ଲାବଣ୍ୟେନ୍ଦୁ ମହାନ୍ତି, ଏବିଡିଓ ରତନଲାଲ ଲୋହରା, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମଧୁସୁଦନ ଦାସ, ଗଣିଆ ସରପଂଚ ଗିରିଧାରୀ ସେଠୀ, ବେଲପଡ଼ା ସରପଂଚ ସୁକାନ୍ତ କୁମାର ଗଣ୍ଠିଆ, ଅଗ୍ନିଶମ ବିଭାଗୀୟ ଅଧିକାରୀ, କରଡ଼ାପଡ଼ା, ଆଡ଼କଟା ଓ ଛାମୁଣ୍ଡିଆ ସରପଂଚଙ୍କ ପ୍ରତିନିଧିଙ୍କ ସମେତ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ ନାୟକଙ୍କ ସୂଚନା ଅନୁଯାୟୀ ଚଳିତ ଅଗଷ୍ଟ ମାସ ୨୦ରେ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, ଗଣିଆଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରରେ ବ୍ଲକର କୌଣସି ଦିବ୍ୟାଙ୍ଗ ଯେପରି ବାଦ୍ ନ ପଡନ୍ତି ସେଥିପ୍ରତି ସମସ୍ତେ ଗୁରୁତ୍ୱ ଦେବାପାଇଁ ଅନୁରୋଧ କରିଥିଲେ । ସରକାରଙ୍କ ନୂତନ ନିୟମାନୁସାରେ ଭିନ୍ନକ୍ଷମମାନେ ପାଇଥିବା ହାତଲେଖା ବା ଅଫଲାଇନ ସାର୍ଟିଫିକେଟ ଆଉ ଚଳିବ ନାହିଁ ।

ହାତଲେଖା ପାଇଥିବା ସମସ୍ତ ଭିନ୍ନକ୍ଷମ ମାନେ ତୁରନ୍ତ ଅନଲାଇନରେ ଆବେଦନ କରି ସେମାନଙ୍କର ଅନଲାଇନ ସାର୍ଟିଫିକେଟ ନେବାକୁ କହିଥିଲେ । ହାତଲେଖା ସାର୍ଟିଫିକେଟରେ ପାଉଥିବା ସୁବିଧା ଯଥା ଭିନ୍ନକ୍ଷମ ଭତା, ରାସନ, ଶିକ୍ଷାବୃତି ଆଦି ସୁବିଧାରୁ ବଂଚିତ ହେବେ । ଏଣୁ ସମସ୍ତ ଭିନ୍ନକ୍ଷମ ମାନେ ନିଜର ନିଜର ନାମକୁ ଅନଲାଇନରେ ପଂଜିକରଣ କରି ନୂତନ ଅନଲାଇନ ସାର୍ଟିଫିକେଟ ଆବେଦନ କରିବାକୁ ସାମାଜିକ ସୁରକ୍ଷା ଅଧିକାରୀ ପରାମର୍ଶ ଦେଇଥିଲେ । ତେବେ ଏ ନେଇ ଗଣିଆ ବ୍ଳକର ସମସ୍ତ ଗ୍ରାମରେ ପ୍ରଚାର ଗାଡ଼ିଦ୍ୱାରା ଉକ୍ତ ଭିନ୍ନକ୍ଷମ ପ୍ରମାଣପତ୍ର ସଂପର୍କିତ ଖବରକୁ ପ୍ରଚାର କରି ଭନ୍ନକ୍ଷମମାନଙ୍କୁ ଜଣାଇ ଦିଆଯିବ ବୋଲି ଆଲୋଚନା କରାଯାଇଥିବାବେଳେ ପ୍ରତି ପଂଚାୟତର ୱର୍ଡ଼ମେମ୍ବରମାନଙ୍କ ଦ୍ୱାରା ଜନସାଧାରଣଙ୍କୁ ଏ ସଂପର୍କିତ ସୁଚନା ଅବଗତ କରାଇବା ପାଇଁ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସରପଂଚମାନଙ୍କୁ ଅନୁରୋଧ କରିଥିଲେ ।