ମୁନ୍ ବେସ୍ ପ୍ରୋଗ୍ରାମରେ ଯୋଗଦେବାକୁ ଇସ୍ରୋକୁ ନାସାର ଆମନ୍ତ୍ରଣ
ଆମେରିକୀୟ ମହାକାଶ ଏଜେନ୍ସି ନ୍ୟାସନାଲ ଏୟରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ ( NASA ) ଭାରତୀୟ ମହାକାଶ ଏଜେନ୍ସି ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ ( ISRO)କୁ ବଡ଼ା ଅଫର ଦେଇଛି। ଆର୍ଟେମିସ୍ ଆକର୍ଡସ ଅଧୀନରେ ନିଜର ”ମୁନ୍ ବେସ୍ ପ୍ରୋଗ୍ରାମ”ରେ ଯୋଗଦେବା ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ”ନାସା” ଭାରତୀୟ ମହାକାଶ ଗବେଷଣା ସଂସ୍ଥା ”ଇସ୍ରୋ”କୁ ଆମନ୍ତ୍ରଣ କରିଛି। ଆମେରିକା ଦୂତାବାସ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ଏହାସହ ବେସାମରିକ ମହାକାଶ ଅଭିଯାନ ପାଇଁ ଖୋଲା ବୈଜ୍ଞାନିକ ତଥ୍ୟ ଆଦାନପ୍ରଦାନ ଉପରେ ଆଲୋଚନାକୁ ଆଗକୁ ନେବା ପାଇଁ ଉଭୟ ପକ୍ଷ ସମ୍ମତି ପ୍ରକାଶ କରିଛନ୍ତି।ଅଗଷ୍ଟ ୫ ଏବଂ ୬ ତାରିଖରେ ବାଙ୍ଗାଲୋରସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଅନୁଷ୍ଠିତ ୯ମ ଭାରତ-ଆମେରିକା ବେସାମରିକ ମହାକାଶ ଯୁଗ୍ମ କାର୍ଯ୍ୟକାରୀ ଦଳ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଏହି ବୈଠକରେ ଉଭୟ ଦେଶ ବେସାମରିକ ଓ ବାଣିଜ୍ୟିକ ମହାକାଶ ସହଯୋଗ, ଭବିଷ୍ୟତର ବୈଜ୍ଞାନିକ ଅଭିଯାନ ଏବଂ ମାନବ ମହାକାଶ ଯାତ୍ରା ପ୍ରଯୁକ୍ତିବିଦ୍ୟା ଭାଗିଦାରୀ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ମହାକାଶରେ ନିଜର ନେତୃତ୍ୱକୁ ମଜବୁତ୍ କରିବା, ନୂତନ ବୈଜ୍ଞାନିକ ଆବିଷ୍କାର, ନବସୃଜନ ଏବଂ ପରବର୍ତ୍ତୀ ସମୟରେ ମଙ୍ଗଳ ଗ୍ରହକୁ ମାନବ ଅଭିଯାନ ପାଇଁ ପ୍ରସ୍ତୁତ ହେବାକୁ ନାସା ଚନ୍ଦ୍ରର ଦକ୍ଷିଣ ଧ୍ରୁବ ନିକଟରେ ଏକ ମୁନ୍ ବେସ୍ ନିର୍ମାଣ କରୁଛି। ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ସହଯୋଗୀଙ୍କୁ ସାମିଲ କରାଯାଉଛି। ଭାରତ ଜୁନ୍ ୨୧, ୨୦୨୩ରେ ଆର୍ଟେମିସ୍ ଆକର୍ଡସର ୨୭ତମ ସଦସ୍ୟ ଭାବେ ସ୍ୱାକ୍ଷର କରିଥିଲା।ଆର୍ଟିମିସ ମିଶନ ନାସାର ଏକ ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ , ଯାହାର ଉଦ୍ଦେଶ୍ୟ ମଣିଷମାନଙ୍କୁ ୫୦ ବର୍ଷ ପରେ ପୁନର୍ବାର ଚନ୍ଦ୍ରପୃଷ୍ଠକୁ ପଠାଇବା, ଚନ୍ଦ୍ରପୃଷ୍ଠରେ ସ୍ଥାୟୀ ବସତି ସ୍ଥାପନ କରିବା ଓ ଭବିଷ୍ୟତରେ ମଙ୍ଗଳ ଗ୍ରହରେ ମାନବ ମିଶନର ପ୍ରସ୍ତୁତି କରିବା । ଆର୍ଟିମିସ-୧ ପ୍ରଥମ ପର୍ଯ୍ୟାୟ ଥିଲା , ଯାହା ନଭେମ୍ବର ୨୦୨୨ରେ ଲଞ୍ଚ କରାଯାଇ ଥିବା ଏକ ମାନବ-ରହିତ ପରୀକ୍ଷଣ ଉଡ଼ାଣ ଥିଲା। ଏଥିରେ ଓରିଅନ୍ ମହାକାଶ ଯାନ ସଫଳତାର ସହ ଚନ୍ଦ୍ରମା ପାଖରେ ଉଡ଼ାଣ ଭରି ଥିଲା।ଆର୍ଟେମିସ୍ -୨ ପ୍ରଥମ ମାନବଯୁକ୍ତ ମିଶନ, ଯାହା ୧ ଏପ୍ରିଲ, ୨୦୨୬ରେ ଆରମ୍ଭ ହୋଇ ଥିଲା, ଚନ୍ଦ୍ରକୁ ପରିକ୍ରମା କରିବା ପାଇଁ ଚାରି ଜଣ ମହାକାଶଚାରୀ (ରିଡ୍ ୱିଜମ୍ୟାନ୍, ଭିକ୍ଟର ଗ୍ଲୋଭର, କ୍ରିଷ୍ଟିନା କୋଚ୍ ଏବଂ ଜେରେମି ହାନସେନ୍) ଯାଇଥିଲେ ଏବଂ ୧୦ ଦିନ ପରେ ଏପ୍ରିଲ ୨୦୨୬ ରେ ସୁରକ୍ଷିତ ଭାବରେ ପୃଥିବୀକୁ ଫେରି ଆସି ଥିଲା। ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକ ହେଉଛି ଆର୍ଟେମିସ୍ -୩ ଏବଂ ୪ , ଯେଉଁଥିରେ ଚନ୍ଦ୍ର କକ୍ଷ ପଥରେ ଏକ ଡକିଂ ପରୀକ୍ଷା ଏବଂ ଚନ୍ଦ୍ରର ଦକ୍ଷିଣ ମେରୁରେ ମହାକାଶଚାରୀଙ୍କ ଅବତରଣ ଅନ୍ତର୍ଭୁକ୍ତ।