ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନକୁ ଦିଆଯିବ ଗୁରୁତ୍ବ,ରଥଯାତ୍ରାରେ କର୍ଡନ୍ ପାସ୍ ଉପରେ କଡ଼ା କଟକଣା
ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ୨୦୨୬ ପାଇଁ ଶେଷ ସମନ୍ୱୟ କମିଟି ବୈଠକ ଶେଷ। ଆଉ ୯ ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଲାଗି ପୁଲିସ ତରଫରୁ ବ୍ୟବସ୍ଥାର କରାଯାଇଛି ଏନେଇ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୂର ଖୁରାନିଆ ସୂଚନା ଦେଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅନୁଯାୟୀ, କର୍ଡନ୍ ପାସ୍ ଆଉ ମନଇଚ୍ଛା ବଣ୍ଟନ କରାଯିବ ନାହିଁ । କେବଳ ଯେଉଁମାନେ ରଥଯାତ୍ରା ପରିଚାଳନା ଓ ମହାପ୍ରଭୁଙ୍କ ନୀତିକାନ୍ତିରେ ସିଧାସଳଖ ଭାବେ ନିୟୋଜିତ ରହିବେ, ସେମାନଙ୍କୁ ହିଁ କର୍ଡନ୍ ପାସ୍ ପ୍ରଦାନ କରାଯିବ । ଏହି ବ୍ୟବସ୍ଥା ମାଧ୍ୟମରେ ଅନାବଶ୍ୟକ ଭିଡ଼କୁ ନିୟନ୍ତ୍ରଣ କରିବା ସହ ରଥଯାତ୍ରାର ସୁରକ୍ଷା ଓ ଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି ।ସେହିପରି କର୍ଡନ୍ ଅଞ୍ଚଳକୁ ବେନିୟମ ଭାବେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଶାଳୀନତାର ସହ ବାରଣ କରିବାକୁ ମଧ୍ୟ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭକ୍ତମାନଙ୍କ ସୁବିଧା, ସେବାୟତଙ୍କ ନୀତିକାନ୍ତି ଓ ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି ନ ହେଉ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି । ଶ୍ରୀମନ୍ଦିର ଭିତରେ ଓ ତିନି ରଥର ସୁରକ୍ଷାକୁ ଗୁରୁତ୍ବ ଦିଆଯିବ। ରଥଟଣା ଓ ବଡ଼ଦାଣ୍ଡରେ ଭକ୍ତଙ୍କ ସୁରକ୍ଷାକୁ ପୁଲିସ ବିଭାଗର ଫୋକସରେ ରହିବ। ସମୁଦ୍ର ତଟ, ରେଳ ଷ୍ଟେସନ୍ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ। ଟେକ୍ନୋଲୋଜି ବ୍ୟବହାର କରାଯାଇ ରଥଯାତ୍ରାକୁ ପରିଚାଳନା କରାଯିବ। ରଥଯାତ୍ରା ସମୟରେ ପୁରୀ ସହର ସିସିଟିଭି ନଜରରେ ରହିବ ।