ରାଜ୍ୟରେ ଦିନେ ଦୁଇ ଦିନ ଭିତରେ ଯାତ୍ରୀବାହୀ ବସସେବା ସଂପୂର୍ଣ୍ଣ ଠପ ହୋଇଯିବ

ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଏବେ ଚରମ ସୀମାରେ ପହଞ୍ଚିଛି। ଯାହାକୁ ନେଇ ବେଶୀ ଚିନ୍ତାରେ ପଡିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ସାରା ରାଜ୍ୟରେ ତେଲର ଉତ୍କଟ ସମସ୍ୟା ଦେଖାଦେଇଛି । ଏଥିପାଇଁ ବାଧ୍ୟ ହୋଇ ଘରୋଇ ବସ ଚଳାଚଳ ବନ୍ଦ କରିବ ସଙ୍ଘ । ରାଜ୍ୟ ଘରୋଇ ବସ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଏହା କହିଛନ୍ତି ।ସେ କହିଛନ୍ତି, ଓଡିଶା ସମେତ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ମଧ୍ୟ ତେଲ ମିଳୁ ନାହିଁ। ତେଣୁ ବାହାର ରାଜ୍ୟର ଗାଡ଼ି ଓଡିଶାକୁ ଆସି ପାରୁ ନାହିଁ। ରାଜ୍ୟ ସରକାର ସମ୍ବେଦନଶୀଳ ହୋଇ ତୁରନ୍ତ ଯାତ୍ରୀବାହୀ ବସ ଗୁଡିକୁ ତେଲ ଯୋଗାଇ ଦିଅନ୍ତୁ। ନଚେତ ଗାଡ଼ି ଚଳାଚଳ ସମ୍ଭବ ହେବ ନାହିଁ। ପବ୍ଲିକ ଟ୍ରାନ୍ସପୋର୍ଟ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ଏବଂ କାର୍ଡ ବ୍ୟବସ୍ଥା କରି ଡିଜେଲ ଦେବାକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ୍ ରାଜ୍ୟରେ ମୋଟ ୧୪ ହଜାର ଘରୋଇ ବସ୍ ଚାଲିଛି। -ତେଲ ନ ମିଳିବାରୁ ପ୍ରାୟ ଦୁଇ ହଜାର ବସ୍ ବନ୍ଦ ହୋଇପଡ଼ିଛି। ଗ୍ରାମାଞ୍ଚଳରେ ତେଲ ନ ମିଳିବାରୁ ବସ୍‌ଗୁଡ଼ିକ ଆସିପାରୁନାହିଁ।