ରାଷ୍ଟ୍ରାୟତ୍ତ କମ୍ପାନୀର ତେଲ ଯୋଗାଣ ହ୍ରାସ ;ମିଳୁନି ପେଟ୍ରୋଲ କି ଡିଜେଲ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ହର୍ମୁଜ୍‌ ପ୍ରଣାଳୀରେ ତୈଳ ଯୋଗାଣ ପ୍ରଭାବିତ କାରଣରୁ ଭାରତରେ ଏବେ ପେଟ୍ରୋଲ, ଡିଜେଲ ଆଦି ଯୋଗାଣ ବାଧାପ୍ରାପ୍ତ ହୋଇଛି।ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ପମ୍ପଗୁଡ଼ିକୁ ଆବଶ୍ୟକ ମୁତାବକ ତୈଳ ବୋଝେଇ ଗାଡ଼ି ଛାଡ଼ୁ ନାହାନ୍ତି। ଫଳରେ ପେଟ୍ରୋଲ ପମ୍ପଗୁଡ଼ିକରେ ତୈଳ ପହଞ୍ଚି ପାରୁନାହିଁ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ ପମ୍ପ ଓଳିଏ ଖୋଲିଲେ ଓଳିଏ ବନ୍ଦ ରହୁଛି। ପୁଣି ଯେଉଁ ଓଳିଏ ଖୋଲା ରହୁଛି କଟକଣାରେ ତୈଳ ବିକ୍ରି ହେଉଛି। ରାଉରକେଲା, ଖୋରଧା, କଳାହାଣ୍ଡି, ଗୁଣପୁର, ରାୟଗଡ଼ା, କୋରାପୁଟ ଜିଲାର ଲମତାପୁଟ, ନବରଙ୍ଗପୁର ଏବଂ ଭୁବନେଶ୍ବରର କିଛି ପେଟ୍ରୋଲ ପମ୍ପ ବନ୍ଦ ରହିଥିବାବେଳେ ଆଉ କିଛି ପମ୍ପରେ କଟକଣାରେ ତୈଳ ବିକ୍ରି ଚାଲିଛି। ପ୍ରଥମେ ଖୋର୍ଦ୍ଧାର ବେଗୁନିଆ ପରେ ଜଗତସିଂହପୁର ଓ ଏବେ ରାଜଧାନୀରେ ତୈଳ ସଙ୍କଟ ଦେଖିବାକୁ ମିଳିଛି। ଏଥିଯୋଗୁ ଧିରେ ଧିରେ ଜନଅକ୍ରୋଶ ବୃଦ୍ଧି ପାଉଥିବା ସୂଚନା ମିଳିଛି। ଜରୁରୀକାଳିନ ସମୟରେ ପେଟ୍ରୋଲ ନ ମିଳିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଛି।ଉତ୍କଳ ପେଟ୍ରୋଲିୟମ ମହାସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି, ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ପମ୍ପଗୁଡ଼ିକୁ ତେଲ ଯୋଗାଣରେ ପ୍ରଭାବିତ କରିଛନ୍ତି। ତେଣୁ ରାଜ୍ୟର ୧୦୦ରୁ ଊର୍ଦ୍ଧ୍ବ ଟାଙ୍କିରେ ତେଲ ନାହିଁ। ତେଲ ବ୍ୟବହାର କମ୍‌ କରିବା ନିମନ୍ତେ ଯୋଗାଣକୁ କମ୍‌ କରିଥାଇ ପାରନ୍ତି ବୋଲି ସେ କହିଛନ୍ତି।