ରେଳ ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶାକୁ ଭେଟି:ଆଜି ପୁରୀରୁ କୋରାପୁଟ ଗଡ଼ିବ ସ୍ପେଶାଲ ଟ୍ରେନ୍
ଓଡ଼ିଶାରେ ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ଏବଂ ଯାତ୍ରୀ ସେବାରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆଜି ପୁରୀ ରେଳଷ୍ଟେସନରୁ “ପୁରୀ–କୋରାପୁଟ ଉଦ୍ଘାଟନୀ ସ୍ପେଶାଲ ଏବଂ ବ୍ରହ୍ମପୁର ରେଳଷ୍ଟେସନରୁ “ବ୍ରହ୍ମପୁର–ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ ଉଦ୍ଘାଟନୀ ସ୍ପେଶାଲ ଟ୍ରେନ ଗଡିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ପୂର୍ବରୁ ସପ୍ତାହକୁ ୩ ଦିନ ଚାଲୁଥିବା ବ୍ରହ୍ମପୁର–ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ ଏଣିକି ପ୍ରତିଦିନ ଚାଲିବ।ଓଡ଼ିଶାବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରି ପବିତ୍ର ସହର ପୁରୀ ସହ ଆଦିବାସୀ ବହୁଳ ଅଞ୍ଚଳ କୋରାପୁଟକୁ ସିଧାସଳଖ ଯୋଡ଼ିବ ଏହି ଟ୍ରେନ୍ । ପୁରୀରୁ ଏହି ଟ୍ରେନ ସୋମବାର, ଗୁରୁବାର ଓ ଶନିବାର ଚାଲିବ । ସେପଟେ କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଚଳାଚଳ କରିବ । ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ୍, ବଲାଙ୍ଗୀର, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ରାୟଗଡ଼ା, କାକିରିଗୁମା ଏବଂ ଦାମନଯୋଡ଼ି ଦେଇ ଚଳାଚଳ କରିବ । ଏହା ଦ୍ୱାରା ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ ।