ଲୋକ ସଭାରେ ଆଣ୍ଟି ପେପର ଲିକ୍ ବିଲ୍ ପାରିତ

ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ଆଣ୍ଟି ପେପର ଲିକ୍ ବିଲ୍ ପାରିତ । ଆସନ୍ତା କାଲି ଦିନ ୧୧ଟା ଯାଏଁ ଗୃହ ମୁଲତବି । ଚଳିତ ମୌସୁମୀ ଅଧିବେଶନରେ ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନା ଏବଂ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଶେଷରେ ଏହି ବିଲ୍‌କୁ ମଞ୍ଜୁରୀ ମିଳିଛି ।ଏହା ପୂର୍ବରୁ ମଙ୍ଗଳବାର ବିଲ୍‌ ଉପରେ ପ୍ରାୟ ନଅ ଘଣ୍ଟା ଧରି ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ଜବାବଦେହିତା ଏବଂ ସଂସ୍କାରର ଆବଶ୍ୟକତା ଉପରେ ମତ ରଖିଥିଲେ। ବୁଧବାର ଆଲୋଚନା ଶେଷ ହେବା ପରେ ବିଲ୍‌କୁ ବାଚନିକ ଭୋଟ୍ ପାଇଁ ରଖାଯାଇଥିଲା ଏବଂ ଏହା ଲୋକସଭାରେ ପାରିତ ହୋଇଥିଲା।ସଂଶୋଧିତ ବିଲ୍‌ରେ ପେପର ଲିକ୍ ସମ୍ପର୍କିତ ଅପରାଧ ବିରୋଧରେ ଆଇନକୁ ଆହୁରି କଡ଼ାକଡ଼ି କରାଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ, ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷାରେ ସଂଗଠିତ ଠକେଇ କିମ୍ବା ଅନ୍ୟାୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ସର୍ବାଧିକ ୧୦ ବର୍ଷର କାରାଦଣ୍ଡର ବ୍ୟବସ୍ଥା କରାଯାଇଛି

ଏହି ସଂଶୋଧନ ମାଧ୍ୟମରେ ପ୍ରତିଯୋଗିତାମୂଳକ ଓ ନିଯୁକ୍ତି ପରୀକ୍ଷାର ବିଶ୍ୱସନୀୟତା ସୁନିଶ୍ଚିତ କରିବା ସହ ପ୍ରଶ୍ନପତ୍ର ଲିକ୍ ଚକ୍ର ଉପରେ କଠୋର ଅଙ୍କୁଶ ଲଗାଯିବ। ସମ୍ପ୍ରତି ଦେଶର ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ଏହି ବିଲ୍‌କୁ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।