ମହାପ୍ରଭୁଙ୍କୁ ନେଇ ଆନିମେଟେଡ୍ ଫିଲ୍ମ; ବୁଧବାର ‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମ ରିଲିଜ୍ ଉପରେ ଶୁଣାଣି

ଆନିମେଟେଡ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ ଏବେବି ଲାଗି ରହିଛି ବିବାଦ। ଫିଲ୍ମରେ ପ୍ରଭୁଙ୍କ ଜଗନ୍ନାଥଙ୍କ ଗାଥାକୁ ଭୁଲ୍ ଭାବରେ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ, ଏହାର ରିଲିଜ ଉପରେ ପ୍ରତିବନ୍ଧକ ଲଗାଇଛି। ତେବେ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥଙ୍କ ମୁକ୍ତିଲାଭ ଉପରେ ରୋକ ଲଗାଇବା ପାଇଁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏହା ରାଜ୍ୟରେ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି କରିପାରେ ବୋଲି ଯୁକ୍ତି କରାଯାଉଛି। ଯେତେବେଳେ କି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) ଏହାକୁ ଅନୁମତି ପ୍ରଦାନ କରିଛି।

ମଙ୍ଗଳବାର ଦିନ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ଭି ମୋହନାଙ୍କ ସହ ଏକ ଖଣ୍ଡପୀଠ ସମ୍ମୁଖରେ ଆଲୋଚନା ସମୟରେ ଓଡ଼ିଶା ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ବିଶୃଙ୍ଖଳା ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ଏଥିସହିତ ଜରୁରୀକାଳୀନ ଶୁଣାଣି ପାଇଁ ଅନୁରୋଧ କରିଥିଲେ। ସେ କୋର୍ଟକୁ ସୂଚନା ଦେଇଥିଲେ ଯେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ମଧ୍ୟ ଏକ ଆବେଦନ ଦାଖଲ କରିଛି ଏବଂ କେନ୍ଦ୍ରକୁ CBFC ପ୍ରମାଣପତ୍ର ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛି।ସୂଚନାଥାଉକି, ଏହା ପୂର୍ବରୁ ମାମଲାର ଶୁଣାଣି କରି ଫିଲ୍ମର ଜୁଲାଇ ୧୦ରେ ରିଲିଜ୍ ତଥା ରଥଯାତ୍ରା ସରିବା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ଶୁଣାଇଥିଲେ। ଆଉ ଏବେ ବୁଧବାର ପୂର୍ବ ଆଦେଶର ସଂଶୋଧନ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ।