ଭିତରକନିକା ଜାତୀୟ ଉଦ୍ୟାନରେ ସରିଲା କୁମ୍ଭୀର ବସା ଗଣନା, ଚିହ୍ନଟ ହେଲା ୧୧୭ଟି ବସା
କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷର କୁମ୍ଭୀର ବସା ଗଣନା କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ଚଳିତବର୍ଷ ୧୧୭ ଟି କୁମ୍ଭୀର ବସା ଗଣନା କରାଯାଇଛି । କନିକା ରେଞ୍ଜରେ ସର୍ବାଧିକ ୧୦୬ଟି ବସା ଚିହ୍ନଟ କରାଯାଇଥିବା ବେଳେ ରାଜନଗର ରେଞ୍ଜରେ ୧୦ଟି ଓ ମହାକାଳପଡା ରେଞ୍ଜରେ ଗୋଟିଏ ବସା ଚିହ୍ନଟ କରାଯାଇଛି । ବଉଳା କୁମ୍ଭୀରଙ୍କ ପ୍ରଜନନ ପରେ ମା କୁମ୍ଭୀର ଜୁଆର ମାଡୁ ନଥିବା ଉଚ୍ଚା ସ୍ଥାନ ଦେଖି ହେନ୍ତାଳ ଓ ଖରଖରୀ ପତ୍ରରେ ବସା ବାନ୍ଧି ଅଣ୍ଡା ଦେଇଥାଏ ଅଣ୍ଡାରୁ ଛୁଆ ଫୁଟିବା ପର୍ଯ୍ୟନ୍ତ ବସାକୁ ଜଗି ରହିଥାଏ ମା କୁମ୍ଭୀର। ବନ ବିଭାଗ କୁମ୍ଭୀର ବସାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ନଜରଦାରି ବ୍ୟବସ୍ଥା କରିଥିବା ବେଳେ ପ୍ରଜନନ ଋତୁରେ ସମ୍ବେଦନଶୀଳ ଅଞ୍ଚଳରେ ପର୍ଯ୍ୟଟକଙ୍କ ଚଳାଚଳ ଉପରେ ମଧ୍ୟ କଟକଣା ଲାଗୁ କରାଯାଉଛି । ବନ୍ୟଜନ୍ତୁ ସଂରକ୍ଷଣ ଓ ପରିବେଶ ସନ୍ତୁଳନ ଦୃଷ୍ଟିରୁ ଏହି ପଦକ୍ଷେପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବୋଲି ବନ ବିଭାଗ କହିଛି ।