ସହରାଞ୍ଚଳରେ ଥିବା ବଡ଼ ଡ୍ରେନ୍‌ କଡ଼ରେ ହେବ ବ୍ୟାରିକେଡ୍: ନଗର ଉନ୍ନୟନ ମନ୍ତ୍ରୀ

ଲଗାଣ ବର୍ଷା ଓ ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସଜାଗ ହୋଇଛନ୍ତି । ବଡ଼ ବଡ଼ ଡ୍ରେନ୍‌ କଡ଼ରେ ସୁରକ୍ଷା ବ୍ୟାରିକେଡ୍‌ ବ୍ୟବସ୍ଥା କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।ବର୍ଷା ଜଳ ଜମୁଥିବା ସ୍ଥାନଗୁଡ଼ିକରେ ବିଭାଗୀୟ କର୍ମଚାରୀଙ୍କ ସହ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମିଳିତ ଭାବେ ଜଳ ନିଷ୍କାସନ କାର୍ଯ୍ୟ କରିବେ । ଅଧିକ ବର୍ଷାର ସମ୍ଭାବନାକୁ ଦେଖି ଅଧିକାରୀମାନଙ୍କୁ ହାଇ ଆଲର୍ଟରେ ରହିବାକୁ କୁହାଯାଇଛି । ଟ୍ୱିନ୍ ସିଟି ଭୁବନେଶ୍ୱର-କଟକ ଓ ପୁରୀ ପାଇଁ ସ୍ୱତନ୍ତ୍ର ରୋଡ୍‌ମ୍ୟାପ ପ୍ରସ୍ତୁତ କରାଯାଇଛି ।୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ମାଧ୍ୟମରେ ସ୍ଥିତି ଉପରେ ନଜର ରଖାଯିବ ଏବଂ କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ନଗର ଉନ୍ନୟନ ବିଭାଗ ସୂଚନା ଦେଇଛି ।