ସୋନମ ରଘୁବଂଶୀକୁ ସୁପ୍ରିମକୋର୍ଟରୁ ଝଟକା, ୩ ସପ୍ତାହ ଭିତରେ ଆତ୍ମସମର୍ପଣ କରିବାକୁ ଆଦେଶ
ମେଘାଳୟର ବହୁଚର୍ଚ୍ଚିତ ହନିମୁନ୍ ମର୍ଡର ମାମଲାରେ ପ୍ରମୁଖ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ । ତାଙ୍କୁ ମିଳିଥିବା ଜାମିନକୁ ବାତିଲ୍ କରିବା ସହ ଆସନ୍ତା ତିନି ସପ୍ତାହ ମଧ୍ୟରେ ଟ୍ରାଏଲ କୋର୍ଟରେ ଆତ୍ମସମର୍ପଣ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।ଜଷ୍ଟିସ୍ ଏମ୍. ଏମ୍. ସୁନ୍ଦରେଶ ଏବଂ ଜଷ୍ଟିସ୍ ପି. ବି. ବାରାଲେଙ୍କ ଖଣ୍ଡପୀଠ ମେଘାଳୟ ସରକାରଙ୍କ ଆବେଦନକୁ ଗ୍ରହଣ କରି କହିଛନ୍ତି, ବିଚାର ପ୍ରକ୍ରିୟା ଚାଲିଥିବା ବେଳେ ସୋନମଙ୍କ ଜାମିନରେ ରହିବା ମାମଲାର ଶୁଣାଣିକୁ ପ୍ରଭାବିତ କରିପାରେ । ନିଜ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସୋନମ୍ ଜାମିନ୍ ପାଇବାର ହକ୍ଦାର ନୁହଁନ୍ତି ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ।ତେବେ କୋର୍ଟ କହିଛନ୍ତି, ଯଦି ଛଅ ମାସ ମଧ୍ୟରେ ବିଚାର ପ୍ରକ୍ରିୟାରେ ଆଶାନୁରୂପ ଅଗ୍ରଗତି ନ ହୁଏ, ତେବେ ସୋନମ ପୁଣି ଥରେ ଜାମିନ ପାଇଁ ଆବେଦନ କରିପାରିବେ ।ଏହି ମାମଲାରେ ପୂର୍ବରୁ ଶିଲଙ୍ଗ ଟ୍ରାଏଲ କୋର୍ଟ ଏବଂ ପରେ ମେଘାଳୟ ହାଇକୋର୍ଟ ସୋନମଙ୍କୁ ଜାମିନ ଦେଇଥିଲେ । ଗିରଫ ସମୟରେ ଆବଶ୍ୟକ ଆଇନଗତ ପ୍ରକ୍ରିୟାରେ ତ୍ରୁଟି ଥିବା ଆଧାରରେ ତାଙ୍କୁ ଏହି ରିହାତି ମିଳିଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନାହାନ୍ତି ।
୨୦୨୫ ମେ’ ମାସରେ ବିବାହ ପରେ ସୋନମ ଓ ତାଙ୍କ ସ୍ୱାମୀ ରାଜା ରଘୁବଂଶୀ ହନିମୁନ୍ ପାଇଁ ମେଘାଳୟ ଯାଇଥିଲେ । କିଛି ଦିନ ପରେ ରାଜାଙ୍କ ମୃତଦେହ ଏକ ଖାତରୁ ଉଦ୍ଧାର ହୋଇଥିଲା । ପୁଲିସର ଅଭିଯୋଗ ଅନୁସାରେ, ସୋନମ ତାଙ୍କ କଥିତ ପ୍ରେମିକ ରାଜ କୁଶୱାହା ଏବଂ ଅନ୍ୟ ତିନି ଜଣଙ୍କ ସହ ମିଶି ପ୍ରାୟ ୨୦ ଲକ୍ଷ ଟଙ୍କାର ସୁପାରି ଦେଇ ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ ।