ହୁତୁହୁତୁ ହୋଇ ଜଳିଗଲା କାର୍, ଭିତରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ
ବାରଙ୍ଗ ଥାନା ଅନ୍ତର୍ଗତ ରାମଦାସପୁର ଶିଳ୍ପାଞ୍ଚଳ ନିକଟରେ ଅଭାବନୀୟ ଘଟଣା। କାର୍ରେ ନିଆଁ ଲାଗିଯିବାରୁ ଭିତରେ ଥିବା ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି।ସୂଚନା ଅନୁଯାୟୀ, ଗୋଡ଼ିସାହି କେନ୍ଦ୍ରୀୟ ବିଦ୍ୟାଳୟ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ କାର୍ଟି ହୁତୁହୁତୁ ହୋଇ ଜଳୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ ଦେଖୁଦେଖୁ କାର୍ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବାରଙ୍ଗ ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲିଭିବା ପରେ ଯାଞ୍ଚ କରିବା ସମୟରେ ଜଳନ୍ତା କାର୍ଠାରୁ ମାତ୍ର ୪/୫ ଫୁଟ ଦୂରରେ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ନିଆଁ ଲାଗିବା ପରେ ବ୍ୟକ୍ତି ଜଣକ ଜୀବନ ବଞ୍ଚାଇବା ପାଇଁ କାର୍ରୁ ବାହାରି ଆସିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ସେ ଗୁରୁତର ଭାବେ ପୋଡ଼ି ଯାଇଥିବାରୁ କାର୍ଠାରୁ ଅଳ୍ପ ଦୂରରେ ପଡ଼ିଯାଇଥାଇ ପାରନ୍ତି। ଅନ୍ୟପଟେ, ଏହା ଏକ ଆକସ୍ମିକ ଦୁର୍ଘଟଣା ନା କେହି ତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ଗାଡ଼ି ସହ ପୋଡ଼ି ଦେବାକୁ ଉଦ୍ୟମ କରିଛି, ସେ ଦିଗକୁ ମଧ୍ୟ ପୋଲିସ ତଦନ୍ତ କରୁଛି।