୪ବର୍ଷର ଶିଶୁ କନ୍ୟାକୁ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ
ଜଣେ ୧୨ ବର୍ଷର ନାବାଳକ ନିଜ ସମ୍ପର୍କୀୟ ୪ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବାର ସଂଗୀନ ଅଭିଯୋଗ ଆସିଛି | ନାବାଳିକା ଝିଅକୁ ପରିବାର ଲୋକେ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ନାବାଳିକାର ବାପା ଏନେଇ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଘଟିଥିବାବେଳେ ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସୂଚନାଯୋଗ୍ୟ ଯେ, ଗତ ବୁଧବାର ଦିନ ଡାବୁଗାଁ ଥାନା ଅଞ୍ଚଳର ଏହି ୪ ବର୍ଷର ଶିଶୁ କନ୍ୟାଟି ନିଜ ଘର ନିକଟରେ ଖେଳୁଥିଲା । ସେହି ସମୟରେ ଗ୍ରାମର ଜଣେ ୧୨ ବର୍ଷର ସମ୍ପର୍କୀୟ ନାବାଳକ ତାକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଝିଅଟି ନିଖୋଜ ହେବା ପରେ ବାପା ତାକୁ ଖୋଜାଖୋଜି କରି ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ତୁରନ୍ତ ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଯେଉଁଠାରେ ଏବେ ତାର ଚିକିତ୍ସା ଚାଲିଛି ।