୫୭ ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ। ୮ଟିର ତୁରନ୍ତ ସମାଧାନ କଲେ

ଗଣିଆ (ବିଶ୍ୱରଂଜନ ସେଠି ) ସୋମବାର ଗଣିଆ ବ୍ଲକରେ ନୟାଗଡ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୫୭ଟି ଅଭିଯୋଗ ପଞିକୃତ ହୋଇଥିଲା । ଜିଲାପାଳ ମଧୁମିତା ରଥ, ଏହି ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମୁଦାୟ ୫୭ ଗୋଟି ଅଭିଯୋଗ ପଂଜିକୃତ ହୋଇଥିବାବେଳେ ୪୨ଗୋଟି ବ୍ୟକ୍ତିଗତ ଓ ସାମୁହିକ ୬ଗୋଟି, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସମ୍ପର୍କିତ ୯ ଅଭିଯୋଗ ପଂଜିକୃତ ହୋଇଥିଲା । ଆଜିର ଜିଲାପାଳଙ୍କ ଜନଶୁଣାଣୀରେ ମୁଖ୍ୟ ଆକର୍ଷଣ ସାଜିଥିଲା ଗଣିଆ-କଳାପାଟ ରାସ୍ତା ସମସ୍ୟା । ବଡ଼ସିଲିଙ୍ଗା, ଛାମୁଣ୍ଡିଆ, ଓ ରାସଙ୍ଗ ପଂଚାୟତର ୧୦୦ରୁ ଉଦ୍ଦ୍ୱର୍ ଜନସାଧାରଣ ଗଣିଆ-କଳାପାଟ ରାସ୍ତା ସଂପର୍କିତ ଦାବୀପତ୍ର ଜିଲାପାଳଙ୍କୁ ଦେଇଥିଲେ । ଜିଲାପାଳଙ୍କ ଉତରରେ ସନ୍ତୁଷ୍ଟ ନହୋଇ ଅଂଚଳବାସୀମାନେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାସ୍ଥଳରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ଓ କନିଷ୍ଠ ଯନ୍ତ୍ରୀ ପଂହଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଉତୋକ୍ତ ଲୋକମାନେ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ପୁର୍ତ ବିଭାଗକୁ ପରିବର୍ତନ କରିବାକୁ ଅଡ଼ି ବସିଥିଲେ । ଏପରିକି ଜିଲାପାଳ ଉପଜିଲାପାଳ ଲୋକମାନଙ୍କୁ ପ୍ରତିଶୃତି ଦେବା ସହିତ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ କହିଥିଲେ । କିନ୍ତୁ ବିକ୍ଷୋଭକାରୀମାନେ ଜିଲାପାଳଙ୍କ କଥାକୁ ଭୃକ୍ଷେପ କରିନଥିଲେ । ଖବର ପାଇଁ ଗଣିଆ ବିଜେପି ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର ଘଟଣାସ୍ଥଳରେ ପଂହଚି ଲୋକମାନଙ୍କ ସହିତ ଆଲୋଚନା କରିଥିଲେ । ଏହା ଏକ ସମ୍ବେଦନଶୀଳ ଘଟଣା ବୋଲି ହୃଦୟଙ୍ଗମ କରିଥିଲେ । ଏଥିପାଇଁ ଏକ ୭ଜଣିଆ କମିଟିଙ୍କ ସହିତ ମାନ୍ୟବର ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପାଇଁ ଭୁବନେଶ୍ୱର ଯିବାକୁ ସଭାପତି କହିଥିଲେ । ଏପରିକି ୧୫ଦିନ ଭିତରେ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ପୁର୍ତ ବିଭାଗକୁ ହସ୍ତାନ୍ତର କରିବା ପାଇଁ ପ୍ରତିଶୃତି ଦେଇଥିଲେ । ମଣ୍ଡଳ ସଭାପତିଙ୍କ ଏଭଳି କାର୍ଯ୍ୟପାଇଁ ବିକ୍ଷୋଭକାରୀମାନେ ତାଙ୍କୁ ସାଧୁବାଦ ଜଣାଇଥିଲେ । ବଡ଼ସିଲିଙ୍ଗା ପଂଚାୟତର ମୁଷୁଗୁଡ଼ା ଗ୍ରାମ ସ୍ୱାଧିନତାର ୭୯ ବର୍ଷପରେ ମଧ୍ୟ ମୌଳିକ ସୁବିଧାରୁ ବଂଚିତ ହୋଇଥିବାରୁ ବିଭିନ୍ନ ଦାବୀ ନେଇ ଜିଲାପାଳଙ୍କ ଦୃଷ୍ଟି ଆକଷଁଣ କରିଥିଲେ । ସେହିପରି ସଳପଗଣ୍ଡା ଗ୍ରାମବାସୀମାନେ ମୌଳିକ ସୁବିଧାରୁ ବଂଚିତ ଥିବାନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯେ।।ଜନା, ଖାଦ୍ୟ ସୁରକ୍ଷା ଯୋଜନା, ବାର୍ଦ୍ଧକ୍ୟ ଭତା, ପାନୀୟ ଜଳ, ଅଗ୍ନିଶମ ବିଭାଗ, ଶିକ୍ଷା ସଂପର୍କିତ, ସୁଭଦ୍ରା ଯୋଜନା, କୃଷି ବିଭାଗ, ବିଦ୍ୟୁତ ବିଭାଗ, ଲେବର କାର୍ଡ଼, ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନୁଯୁକ୍ତ୍‌ି ଯୋଜନା ଓ ବାଇପାସ ରାସ୍ତା ନିର୍ମାଣ ସମ୍ପର୍କିତ ଅଭିଯୋଗ କରାଯାଇଥିଲା । ବିଶେଷକରି ବାଇପାସ ରାସ୍ତା ନିର୍ମାଣରେ ବିଳମ୍ବହେଉଥିବା ନେଇ ଗଣିଆ ସରପଂଚ ଗିରିଧାରୀ ସେଠୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କେନ୍ଦୁପଲ୍ଲୀ ଗ୍ରାମର ସବିତା ସାହୁ ଏକ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଛନ୍ତି । କିନ୍ତୁ ଦୁଖ ଓ ପରିତାପର ବିଷୟ ତାଙ୍କ ଘର ଉପରେ ୧୧ କେଭି ତାର ଯାଇଥିବାରୁ ସେ ଛାତ ପକାଇପାରୁ ନାହାଁନ୍ତି । ଏ ସଂପର୍କରେ ବିଦ୍ୟୁତ ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସେ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ । ୨ମାସଧରି ହିତାଧିକାରୀମାନେ ଭତା ପାଇନଥିବାରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଶିବିରରେ ଅତିରିକ୍ତ ଜିଲାପାଳ କର୍ଣ୍ଣଦେବ ସମ୍ମାଦାର, ପିି.ଡି ଲଗ୍ନଜିତ ରାଉତ, ଏଡିଏମ ରୋଜିନା ଦାସ, ଏସଡିପିଓ ସୁଦୀପ୍ତ କୁମାର ସାହୁ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସୁଶାନ୍ତ କୁମାର ସ୍ୱାଇଁ, ତହସିଲଦାର ଐଶ୍ଚର୍ଯ୍ୟା ପୃଷେଠ, ବିଡିଓ ଲାବଣେନ୍ଦୁ ମହାନ୍ତି, ଏବିଡିଓ ରତନଲାଲ ଲୋହରା, ସହକାରୀ ଯନ୍ତ୍ରୀ ମହେଶପ୍ରସାଦ ନାୟକ, ଗ୍ରାମ ପଂଚାୟତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜିତ ଶିବିରରେ ବ୍ଲକର ସମସ୍ତ ଜନପ୍ରତିନିଧି, ରାଜସ୍ୱ, ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ, ଜଙ୍ଗଲ, କୃଷି, ଉଦ୍ୟାନକୃଷି, ଜଳ ଓ ପରିମଳ, ମହିଳା ଓ ଶିଶୁ ବିକାଶ, ପ୍ରାଣୀସମ୍ପଦ ପରି ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।