ପୁରୁଣା ଭୁଲରୁ କିଛି ଶିଖିଲ ନାହିଁ’, ଏନ୍‌ଇଇଟି ପେପର୍ ଲିକ୍ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ମନ୍ତବ୍ୟ

ପେପର୍ ଲିକ୍ ଯୋଗୁ NEET-UG ପରୀକ୍ଷା ବାତିଲ ଘଟଣାକୁ ନେଇ ସୁପ୍ରିମକୋର୍ଟ, ଜାତୀୟ ପରୀକ୍ଷା ଏଜେନ୍ସି (NTA) ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ସୋମବାର କହିଛନ୍ତି ଯେ, ଏହା ଦୁଃଖଦ ଯେ, ଏହି ସଂସ୍ଥା ପୂର୍ବ ବିବାଦରୁ କିଛି ଶିଖିନାହିଁ। ଏହା ସହ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାର, NTA ଏବଂ CBIକୁ ନୋଟିସ୍ ଜାରି କରି ଉତ୍ତର ରଖିବାକୁ କହିଛନ୍ତି।ଏନ୍‌ଇଇଟି ଏବଂ ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷା ପରିଚାଳନା କରୁଥିବା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସଂସ୍ଥା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ବିରୋଧରେ ଦାୟର ଏକ ଆବେଦନର ଶୁଣାଣି କରି କୋର୍ଟ ଏଭଳି କହିଛନ୍ତି।ଏନ୍‌ଟିଏକୁ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଗଠନ ହେବାକୁ ଥିବା ମନିଟରିଂ କମିଟିର ସ୍ଥିତି ବିଷୟରେ ମଧ୍ୟ ଅବଗତ କରାଇବାକୁ କହିଛନ୍ତି।କୋର୍ଟ ଏନ୍‌ଟିଏକୁ ବଦଳାଇବା ତଥା ପୁନଃପରୀକ୍ଷା ପାଇଁ କରାଯାଇଥିବା ଏକ ଆବେଦନର ଶୁଣାଣି କରି ଏଭଳି ମତବ୍ୟକ୍ତ କରିଛନ୍ତି। ଏନ୍‌ଇଇଟି ପରିଚାଳନାରେ ଏନ୍‌ଟିଏର କଥିତ ବ୍ୟବସ୍ଥିତ ବିଫଳତାକୁ ଚ୍ୟାଲେଞ୍ଜ କରି ଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ (ଏଫ୍‌ଏଆଇଏମ୍‌ଏ)କୋର୍ଟଙ୍କର ଦ୍ୱାରସ୍ଥ ହୋଇଛି।ସୁପ୍ରିମକୋର୍ଟ କହିଛନ୍ତି ଯେ, NEET ପେପର ଲିକ୍ ସହିତ ଜଡ଼ିତ ସବୁ ଆବେଦନର ଏକତ୍ର ଶୁଣାଣି କରାଯିବ। କୋର୍ଟ ପୂର୍ବତନ ISRO ମୁଖ୍ୟ କେ. ରାଧାକୃଷ୍ଣନଙ୍କ ନେତୃତ୍ୱାଧୀନ କମିଟିକୁ NTAର କାର୍ଯ୍ୟକାରିତାକୁ ଉନ୍ନତ କରିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ତାହା ମଧ୍ୟ ପଚାରିଛନ୍ତି। ଏନ୍‌ଇଇଟି ପରୀକ୍ଷା ପରିଚାଳନା ପାଇଁ ଏନ୍‌ଟିଏ ବଦଳରେ ଏକ ଅଧିକ ସୁଦୃଢ଼, ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ସ୍ୱାୟତ୍ତ ସଂସ୍ଥା ନିଯୁକ୍ତି କରିବା ପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦାବି କରାଯାଇଛି। କେନ୍ଦ୍ର ସରକାର ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଛନ୍ତି।