ଆହୁରି ୪ ଦିନ ଜଳିବ ତାତି, ୨୯ରୁ କାଳବୈଶାଖୀ ଆଣିପାରେ ଆଶ୍ୱସ୍ତି
ଆକାଶରୁ ନିଆଁ ବର୍ଷୁଛି । ଜଳୁଛି ପଶ୍ଚିମ ଓଡ଼ିଶା । ଲଗାତାର ୪୫ ଡିଗ୍ରି ଉପରେ ରହୁଛି ତାପମାତ୍ରା ।ରବିବାର ୨୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ଥିଲା । ପଶ୍ଚିମର ୬ଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ପାର୍ କରିଥିଲା । ସବୁଠୁ ଉତ୍ତପ୍ତ ଥିଲା ଟିଟିଲାଗଡ଼, ଏଠି ତାପମାତ୍ରା ୪୫.୮ ଡିଗ୍ରୀ ଛୁଇଁଥିଲା ।ଆହୁରି ୫ଦିନ ଯାଏ ଏଭଳି ସ୍ଥିତିରୁ ନିସ୍ତାର ନାହିଁ। ଆଜି ସିଭିୟର ହିଟୱେଭ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳବର୍ତ୍ତୀ ଅଞ୍ଚଳ ଭୁବନେଶ୍ୱର, କଟକ ଏବଂ ପୁରୀରେ ବାୟୁମଣ୍ଡଳର ତାପମାତ୍ରା ସାମାନ୍ୟ କମ୍ ରହିଲେ ମଧ୍ୟ ଶାରୀରିକ ଅସ୍ୱାଭାବିକତା ଓ ଗୁଳୁଗୁଳି ବହୁତ ଅଧିକ ହେବ । ବଙ୍ଗୋପସାଗରରୁ ପ୍ରଚୁର ପରିମାଣରେ ଆର୍ଦ୍ରତା ପ୍ରବେଶ କରୁଥିବାରୁ ଗରମର ପ୍ରକୃତ ଅନୁଭୂତି ଆହୁରି ବଢ଼ିଯିବ । ତେବେ ଅପରାହ୍ନ କିମ୍ବା ସନ୍ଧ୍ୟା ସମୟରେ କାଳବୈଶାଖୀ ଜନିତ ସୀମିତ ବର୍ଷା ହୋଇପାରେ । ଏଥିରେ ଗ୍ରୀଷ୍ମ ପ୍ରବାହ ସ୍ଥିତିରେ ବଡ଼ ପରିବର୍ତ୍ତନ ହେବନି । ମେ ୨୮ ପରେ ପ୍ରବଳ ତାତିର ପ୍ରଭାବ କମିପାରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ହେଲେ ଗରମ ଓ ଗୁଳୁଗୁଳିପୂର୍ଣ୍ଣ ରହିବ। କାଳବୈଶାଖୀର ପ୍ରଭାବ ବୃଦ୍ଧି ପାଇବ । ଜୁନ୍ ୭ରୁ ଜୁନ୍ ୧୧ ମଧ୍ୟରେ ଓଡ଼ିଶାର କେତେକ ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି କିନ୍ତୁ ବର୍ଷା ସେଭଳି ହେବନି ।