ଚାନ୍ଦା ନଦେବାରୁ ଅଧ୍ୟକ୍ଷାଙ୍କୁ ସାମ୍ବାଦିକଙ୍କ ଧମକଜାତିଆଣ ଆକ୍ଷେପ ଓ ଅଶ୍ଳୀଳ ବ୍ୟବହାର ଅଭିଯୋଗ

ଗଣିଆ – (ବିଶ୍ୱରଂଜନ ସେଠି): ଚାନ୍ଦା ଆଦାୟ, ଜାତିଆଣ ଆକ୍ଷେପ ଓ ଅଶ୍ଳୀଳ ବ୍ୟବହାର ଅଭିଯୋଗରେ ଗଣିଆ ଥାନାରେ ରଘୁନାଥଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଗଣିଆ ଥାନାରେ ଏକ ଏତଲା ଦେଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ରଘୁନାଥଜୀଉ ମାଧ୍ୟମିକ ବିଦ୍ୟାଳୟରେ ଗତ ସୋମବାର ଛୁଟି ଘୋଷଣା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କର ସହମତିକ୍ରମେ ଏହି ଛୁଟି ଘୋଷଣା କରାଯାଇଥିଲା। ସ୍ଥାନୀୟ ଛୁଟି ଘୋଷଣା ପାଇଁ ଅଧ୍ୟାକ୍ଷା ସଲୀଳା ସେଠୀ ବିଦ୍ୟାଳୟର ସଭାପତି ତଥା ଉପଜିଲ୍ଲାପାଳ, ନୟାଗଡ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଇ-ମେଇଲ ମାଧ୍ୟମରେ ଅବଗତ କରିଥିଲେ । ଏପରିକି ଛାତ୍ର ଛାତ୍ରୀ ମାନଙ୍କୁ ନୋଟିସ ବୋଡ଼ରେ ସୂଚନା ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ବା ଅଧ୍ୟକ୍ଷା ନିଜ ମନମୁତାବକ ଏବଂ ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଆବଶ୍ୟକତା ଅନୁସାରେ ଦୁଇଟି ସ୍ଥାନୀୟ ଛୁଟି ନେଇପାରିବେ ବୋଲି ମାଧ୍ୟମିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ରାଙ୍କ ନଂ. ୧୫୩୭୫, ତା ୨୪ା୧୨ା୨୪ରେ ନିର୍ଦ୍ଦେଶ ଆସିଥିଲା। ଯେହେତୁ ୨୦୨୫ ମସିହା ଶେଷ ହେବାକୁ ବସିଲାଣି। ସେଥିପାଇଁ ଏହି ସ୍ଥାନୀୟ ଛୁଟିି ଅଧ୍ୟକ୍ଷା ଘୋଷଣା କରିଥିବାବେଳେ ଏହାକୁ ନେଇ ନିଜକୁ ମନିଭଦ୍ରା ଖବର ନାମକ ୟୁଟ୍ୟୁବ୍ ଚ୍ୟାନେଲର ପରିଚାଳନା ନିର୍ଦ୍ଦେଶକ ଓ ଦୈନିକ ପେପରର ଖବରଦାତା ଦେବୀ ପ୍ରସାଦ ଦାସ ବିଦ୍ୟାଳୟ ଛୁଟି ସମୟରେ ବିଦ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଜଗନ୍ନାଥ୍ ମିଶ୍ରଙ୍କ ସହିତ ବେନିୟମ ଭାବେ ବିଦ୍ୟାଳୟକୁ ଯାଇ ଭିଡିଓ କରି ବେଆଇନ ଭାବେ ଖବର ପ୍ରସାରଣ କରିଥିଲେ ।

ଅଧ୍ୟକ୍ଷାଙ୍କୁ ଦେବୀପ୍ରାସାଦ ପୂର୍ବରୁ ୧୦,୦୦୦ ଟଙ୍କା ଚାନ୍ଦା ମାଗିଥିଲେ କିନ୍ତୁ ଅଧ୍ୟକ୍ଷା ଏତେ ଟଙ୍କା ଦେବା ପାଇଁ ଅକ୍ଷମତା ପ୍ରକାଶ କରିଥିଲେ । ପରେ ଅଧ୍ୟକ୍ଷା ନିଜ ଫୋନ ପେ ମାଧ୍ୟମରେ ୨୦୦୦ ଟଙ୍କା ପ୍ରଦାନ କରିଥିଲେ। ଅବଶିଷ୍ଟ ଅର୍ଥ ନଦେବା ଯୋଗୁ ଅଧ୍ୟକ୍ଷାଙ୍କ ବିରୋଧରେ ଖବର ପରିବେଷଣ କରାଯାଇଥିବା ଅଧ୍ୟକ୍ଷା କହିଛନ୍ତି । ଏଥି ଯୋଗୁ ତାଙ୍କ ମାନ ସମ୍ମାନ ହାନୀ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏହି ମିଥ୍ୟା ଖବର ତଥା ଗାଳିଗୁଲଜକୁ ନେଇ ଅଧ୍ୟକ୍ଷା ସଲୀଳା ସେଠୀ ଗତକାଲି ଗଣିଆ ଥାନାରେ ଦୁଇ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ଅଧ୍ୟକ୍ଷାଙ୍କ ଲିଖିତ ଅଭିଯୋଗକୁ ଆଧାର କରି ନଂ. ୧୭୧/୨୫ରେ ଏକ ମାମଲା ରୁଜୁ କରିଥିବା କହିଛନ୍ତି। ପ୍ରକାଶ ଥାଉକି ଅଧ୍ୟକ୍ଷା ଶ୍ରୀମତୀ ସେଠୀ ଗତ ୨ବର୍ଷ ହେଲା ରଘୁନାଥଜୀଉ ମହାବିଦ୍ୟାଳୟର ଦାୟିତ୍ୱ ନିର୍ବାହ କରୁଛନ୍ତି। ଦୁଇବର୍ଷର ରହଣୀ ଭିତରେ ମହାବିଦ୍ୟାଳୟର ବହୁ ଉନ୍ନତିକରଣ କାର୍ଯ୍ୟ କରିଛନ୍ତି। ତାଙ୍କ ପୂର୍ବରୁ ପାଠପଢ଼ା ଅବ୍ୟବସ୍ଥିତ ଥିଲା। କର୍ମଚାରୀ ଓ ଅଧ୍ୟାପକମାନଙ୍କର ମନମାନି ବି ଚାଲିଥିଲା। ଅଧ୍ୟକ୍ଷା ଦାୟିତ୍ୱ ନେବା ପରଠାରୁ ମହାବିଦ୍ୟାଳୟର ଗୋଷ୍ଠୀ ବିବାଦଠାରୁ ଆରମ୍ଭ କରି ପ୍ରତ୍ୟେକ ଅନିୟମିତତା ଉପରେ ରୋକଲଗାଇ ମହାବିଦ୍ୟାଳୟର ସମ୍ମାନ ବଜାୟ ରଖିଛନ୍ତି। ଏନେଇ ମହାବିଦ୍ୟାଳୟ ତଥା ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷାଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟ ଥିବାବେଳେ କିଛି ଅସାମାଜିକ ବ୍ୟକ୍ତି ଈର୍ଷାପରାୟଣ ହୋଇ ଅଧ୍ୟକ୍ଷାଙ୍କ ବିରୋଧରେ ସମାଲୋଚନା କରି ଆସୁଛନ୍ତି। ସ୍ଥାନୀୟ ଛୁଟି ଘୋଷଣା ଘଟଣାକୁ ନେଇ ଖବର ପ୍ରକାଶ ପରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ଥାନୀୟ ଅଭିଭାବକ ଓ କର୍ମଚାରୀମାନେ ଅଧ୍ୟକ୍ଷାଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏଭଳି ସ୍ଥଳରେ ଅଧ୍ୟକ୍ଷାଙ୍କ ସଫଳତାକୁ ସହ୍ୟ କରିନପାରି କିଛି ଖଳ ପ୍ରକୃତିର ଲୋକ ତାଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି। ଚାନ୍ଦା ଆଦାୟ କରିବା ପାଇଁ ପ୍ରୟାସ ଚଳାଇଛନ୍ତି। ସମ୍ପୃକ୍ତ ଖବରକାଗଜର ପ୍ରତିନିଧି ବାରମ୍ବାର ଗଣିଆ ଅଞ୍ଚଳରେ ଅଫିସର ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ଏପରିକି ଜିଲ୍ଲା ପ୍ରତିନିଧିଙ୍କ ଛତ୍ରଛାୟା ତଳେ ରହି ଏଭଳି ଚାନ୍ଦା ଆଦାୟ କରୁଥିବା ତଥା ଆମେ ସାମ୍ବାଦିକ, ମନଇଚ୍ଛା ଯାହା କରିପାରିବୁ ଆମର କେହି କିଛି କରିପାରିବେ ନାହିଁ ବୋଲି ଅଫିସର୍ ମାନଙ୍କୁ ଭୟଭୀତ କରୁଥିବା ଏକ ପ୍ରକାର ଟୁପୁରୁ ଟାପର ଶୁଣିବାକୁ ମିଳୁଛି । ସୂଚନାଥାଉକି ପୂର୍ବରୁ ସମ୍ପୃକ୍ତ ପ୍ରତିନିଧି ନାବାଳିକା ଅସଦାଚରଣ ଘଟଣାରେ କେଶ ନମ୍ବର ୩୭/୨୩ ନୟାଗଡ଼ ଖୁଣ୍ଟୁବନ୍ଧ ଜେଲ୍ ରେ ୧୩ ମାସ ସଜା କାଟିଥିଲେ। ବିଶେଷ କରି ନିଜର ସ୍ବତନ୍ତ୍ର ଓ୍ବେବ ଚାନେଲରେ ଖବର ପ୍ରସାରଣ କରି ଜନସାଧାରଣଙ୍କୁ ଭୟଭୀତ କରାଉଛନ୍ତି ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ଏବେ ଗଣିଆ ଅଞ୍ଚଳରେ ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଯେହେତୁ ଅଧ୍ୟକ୍ଷା ଅନୁସୂଚିତ ଜାତି ସମ୍ପ୍ରଦାୟର ହୋଇଥିବାରୁ ଜାତିଆଣ ଆକ୍ଷେପ ଓ ଚାନ୍ଦା ଆଦାୟ କରିବା ଭଳି ସଂଗୀନ ଅଭିଯୋଗ ସେ ଏତଲାରେ ଦର୍ଶାଇଛନ୍ତି। ଏଭଳି ଘଟଣାକୁ ନେଇ ଗଣିଆରେ ଉତ୍ତେଜନା ଦେଖାଦେଇଛି।