ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ
ଅଣ୍ଡା ନଦେଇ ଫେରିଗଲେ ଅଲିଭରିଡଲେ । ଏପ୍ରିଲ ମାସ ସରିବାକୁ ବସିଲାଣି ମାତ୍ର ଆଜି ଯାଏଁ ବିରଳ ଅଲିଭରିଡଲେ କଇଁଛ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଉନାହାନ୍ତି । ଦୀର୍ଘ ଦୁଇ ମାସ ଧରି କୂଳରୁ ୫ଶହ ମିଟର ମଧ୍ୟରେ ଲକ୍ଷାଧିକ ମାଆ କଇଁଛ ଠୁଳ ହୋଇଥିବା ଦୃଶ୍ୟମାନ ହେଉଥିବା ବେଳେ ଗତ ଏକ ସପ୍ତାହ ହେଲା କୂଳରେ ଆଉ କଇଁଛଙ୍କୁ ଦେଖିବାକୁ ମିଳୁନି ।କୂଳରେ ଅଣ୍ଡା ଦେବା ପାଇଁ ଏକାଠି ହୋଇଥିବା ଲକ୍ଷାଧିକ କଇଁଛ ଏବେ ଗହୀରମଥା ସୀମା ବାହାରକୁ ଚାଲିଗଲେଣି । ଏଭଳି ପରିସ୍ଥିତିରେ ଗହୀରମଥାରେ ଚଳିତବର୍ଷ କଇଁଛଙ୍କ ସମୂହ ଅଣ୍ଡାଦାନ ହେବ ନାହିଁ ବୋଲି ବନବିଭାଗ ଆକଳନ କରିଛି । ଯାହା ପରିବେଶବିତ୍ ଙ୍କୁ ବ୍ୟଥିତ କରିଛି । ଓଡିଶାର ଏକ ମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହିରମାଥା ଯେଉଁଠିକୁ ପ୍ରାୟ ୫୦ ପ୍ରତିଶତରୁ ଅଧିକ ଅଲିଭି ରିଡ଼ିଲେ କଇଁଛ ଆସିଥାନ୍ତି । ସମୁଦ୍ ର ନୀଳ ଜଳରାଶି ରେ ସେମାନଙ୍କର ମିଳନ ପରେ ବେଳାଭୂମିର ବାଲୁକା ଶଯ୍ୟାରେ ଲକ୍ଷାଧିକ କଇଁଛ ସମୂହ ଅଣ୍ଡାଦାନ କରିଥାନ୍ତି । ମାତ୍ର ୨୦୨୫ ମସିହାରେ ମାର୍ଚ୍ଚ ମାସ ୬ତାରିଖ ରୁ ୧୦ତାରିଖ ପର୍ଯ୍ୟନ୍ତ ୬ଲକ୍ଷରୁ ଅଧିକ କଇଁଛ ସମୁହ ଅଣ୍ଡାଦାନ କରିଥିଲେ ।
ପ୍ରତି ବର୍ଷ ମାର୍ଚ୍ଚ ମାସ ଶେଷ ସପ୍ତାହ ବେଳକୁ ଅଲିଭି ରିଡ଼ିଲେ କଇଁଛ ସମୁହ ଅଣ୍ଡାଦାନ କରିଥାନ୍ତି । ବେଳେ ବେଳେ ଏପ୍ରିଲ ମାସ ପ୍ରଥମ ସପ୍ତାହରେ ମଧ୍ୟ ସମୁହ ଅଣ୍ଡାଦାନ ହୋଇଥାଏ । ମାତ୍ର ଚଳିତ ବର୍ଷ ଏପ୍ରିଲ ତୃତୀୟ ସପ୍ତାହ ଆରମ୍ଭ ହୋଇଥିବା ବେଳେ କଇଁଛ ମାନେ ଅଣ୍ଡା ନଦେଇ ଗହୀରମଥା ସୀମା ବାହାରକୁ ଚାଲି ଯିବା ଘଟଣା ଆଶ୍ଚର୍ଯ୍ୟ । ୨୦୦୮ ଓ ୨୦୧୪ରେ ଗହୀରମଥାରେ ଗଣଅଣ୍ଡାଦାନ ପ୍ରକ୍ରିୟା ହୋଇନଥିଲା। ଜଳବାୟୁ ପରିବର୍ତ୍ତନ ଓ ମାର୍ଚ୍ଚ ମାସରେ ବର୍ଷା ପାଗ ଯୋଗୁଁ ଅଲିଭରିଡଲେ କୂଳରେ ଭିଡ ଜମାଇଥିଲେ ମଧ୍ୟ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ନହୋଇ ଫେରିଯାଇଥିବା କୁହାଯାଉଛି । ଅନ୍ୟପଟେ ଗହୀରମଥାରେ ରୀତିମତ ଟ୍ରଲର ଚଳାଚଳ ଯୋଗୁଁ କଇଁଛମାନେ ଗହୀରମଥାକୁ ସୁରକ୍ଷିତ ମଣୁନଥିବା ଅଭିଯୋଗ କରିଛନ୍ତି ପରିବେଶବିତ ।