ଆଗକୁ ଭୟଙ୍କର ତେଲ ସଙ୍କଟ ! ଅଶୋଧିତ ତେଲ ଦର ୭୯ ଡଲାର ପାର୍

ବିଶ୍ୱରେ ବଢ଼ୁଥିବା ଯୁଦ୍ଧ ଆଶଙ୍କାର ପ୍ରଭାବ ଏବେ ଅନ୍ତର୍ଜାତୀୟ ବଜାର ଉପରେ ପଡ଼ିଛି । ଅଶୋଧିତ ତେଲ ମୂଲ୍ୟରେ ହଠାତ୍ ବୃଦ୍ଧି ଦେଖାଦେଇଛି । ରିପୋର୍ଟ ଅନୁସାରେ, ଅଶୋଧିତ ତେଲ ଦରରେ ପ୍ରାୟ ୪ ପ୍ରତିଶତ ବୃଦ୍ଧି ଘଟିଛି । ଇରାନ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଆମେରିକା । ଏହାର ଜବାବରେ ଇରାନ ତୈଳ ଯୋଗାଣର ସାମୁଦ୍ରିକ ରାସ୍ତା ‘ହୋର୍ମୁଜ’କୁ ବନ୍ଦ କରିଦେଇଛି। ଭାରତ ଏହାର ଆବଶ୍ୟକତାର ବୃହତ୍ ଭାଗ ତେଲ ବିଦେଶରୁ ଆମଦାନି କରିଥାଏ। ଅଧିକାଂଶ ଏହି ମାର୍ଗ ଦେଇ ଆସିଥାଏ। ହୋର୍ମୁଳ ବନ୍ଦ ହେବା ଦ୍ବାରା ଯୋଗାଣ ପ୍ରଭାବିତ ହେଲେ ଦେଶରେ ଦରଦାମ ସ୍ଥିତି ଉତ୍କଟ ହୋଇପାରେ। କମ୍ପାନିଗୁଡ଼ିକର ଲାଭ କମିବ ।ଅନ୍ୟପଟେ, ଯୁଦ୍ଧ ପରିସ୍ଥିତି ଓ ଅନ୍ତର୍ଜାତୀୟ ବଜାରର ଗତିବିଧି ଉପରେ ନିବେଶକ ଏବଂ ଅର୍ଥନୀତି ବିଶେଷଜ୍ଞମାନେ ନଜର ରଖିଛନ୍ତି ।ତେଲ ମହଙ୍ଗା ହେବା ଦ୍ଵାରା ପେଟ୍ରୋଲ ଏବଂ ଡିଜେଲ ବିକ୍ରି କରୁଥିବା କମ୍ପାନି, ବିମାନ କମ୍ପାନି, ପେଣ୍ଟ୍, କେମିକାଲ ଏବଂ ଟାୟାର ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ହ୍ରାସ ଘଟିପାରେ । ତେବେ ବ୍ୟାଙ୍କିଙ୍ଗ୍, ଆଇଟି, ଫାର୍ମା ଏବଂ ପ୍ରତିରକ୍ଷା ସହ ଜଡ଼ିତ କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ବଢ଼ିପାରେ। ଚଳିତ ମାସ ବିଦେଶୀ ନିବେଶକ ଭାରତୀୟ ବଜାରରେ ବୃହତ୍ ମାତ୍ରାରେ ଟଙ୍କା ଲଗାଇଛନ୍ତି। କିନ୍ତୁ ବିଶେଷଜ୍ଞଙ୍କ ଆଶଙ୍କା ହେଉଛି, ଯଦି ଯୁଦ୍ଧ ଜାରି ରୁହେ ତେବେ ଏହି ବିଦେଶୀ ନିବେଶକ ବଜାରରୁ ନିଜ ଟଙ୍କା କାଢ଼ି ନେଇଯିବେ, ଯାହାଦ୍ୱାରା ବଜାର କ୍ରାସ୍ ହେବା ଥୟ। ଆଗାମୀ ଦିନରେ ବଜାରର ଗତି ତେଲ ଦର ଏବଂ ମୁଦ୍ରାସ୍ପିତି ଅଙ୍କ ଉପରେ ନିର୍ଭର କରିବ।