ଆନ୍ଧ୍ରରେ କୋଭିଡ୍ ଚିନ୍ତା, ଓଡ଼ିଶାରେ ହାଇ ଆଲର୍ଟ
ଆନ୍ଧ୍ର ପ୍ରଦେଶରେ ପୁଣି ବଢୁଛି କୋଭିଡ ସଂକ୍ରମଣ । କୋଭିଡରେ ଦୁଇ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସତର୍କ ହୋଇଛି ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ । ବିଶେଷକରି ଆନ୍ଧ୍ର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ କଡା ନଜର ରଖାଯାଇଛି । ଆାଗକୁ ରଥଯାତ୍ରା । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି କୌଣସି ପ୍ରକାରର ଅବହେଳା ଯେପରି ନ ହୁଏ ସେଥିପାଇଁ କଡା ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।ଆନ୍ଧ୍ର ପ୍ରଦେଶ ସୀମାବର୍ତ୍ତୀ ଓଡ଼ିଶାର ଜିଲ୍ଲାଗୁଡ଼ିକର CDMOମାନଙ୍କୁ ସନ୍ଦିଗ୍ଧ ରୋଗୀଙ୍କର କୋଭିଡ୍ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ଟେଷ୍ଟିଂ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।ତେବେ କୌଣସି କୋଭିଡ୍ ଲକ୍ଷଣ ଦେଖାଦେଲେ ପ୍ରଚଳିତ କୋଭିଡ୍ ନିୟମାବଳୀ ଅନୁସାରେ ପରୀକ୍ଷା ଓ ଚିକିତ୍ସା କରାଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।ସୂଚନା ଅନୁଯାୟୀ, ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କୁ ନିରବଚ୍ଛିନ୍ନ ଓ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଓ ଜରୁରୀକାଳୀନ ସେବା ଉପରେ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅତିରିକ୍ତ ବିଶେଷଜ୍ଞ ଡାକ୍ତର, ନର୍ସିଂ ଅଫିସର ଏବଂ ଫାର୍ମାସିଷ୍ଟମାନଙ୍କୁ ରଥଯାତ୍ରା ଡ୍ୟୁଟିରେ ମୁତୟନ କରାଯିବ । ଜିଲ୍ଲାର ବିଭିନ୍ନ ସ୍ଥାନମାନଙ୍କରେ ଅତିରିକ୍ତ ୧୦୮ ଆମ୍ବୁଲାନ୍ସ ମୁତୟନ କରାଯିବ । ଏହାସହ ଏମର୍ଜେନ୍ସି ପରିଚାଳନା ପାଇଁ ୨୦୩ନଂ ଜାତୀୟ ରାଜପଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅତିରିକ୍ତ ୧୦୮ ଆମ୍ବୁଲାନ୍ସ ମଧ୍ୟ ମୁତୟନ ରହିବ । ଶ୍ରୀମନ୍ଦିର ବେଢା ଭିତରେ ଟ୍ରାଫିକ ସମସ୍ୟାର ସମାଧାନ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଆମ୍ବୁଲାନ୍ସ ପରିଚାଳନାକୁ ଅଧିକ ବ୍ୟବସ୍ଥିତ କରାଯିବ । ଭକ୍ତମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ।