ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଆସିଥିବା ନାବାଳିକାଙ୍କୁ ବଳାତ୍କାର କଲେ ଡାକ୍ତର

ଭଞ୍ଜନଗର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଏଭଳି ଅଭିଯୋଗ ଆସିଛି । ସୂଚନା ଅନୁସାରେ,ପୀଡ଼ିତାଙ୍କ ମା’ଙ୍କ ଏତଲା କ୍ରମେ ସ୍ଥାନୀୟ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଆୟୁଷ ଡାକ୍ତର ସମୀର ପ୍ରଧାନଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ନାବାଳିକାଙ୍କ ମା’ ତାଙ୍କ ଝିଅର ଚିକିତ୍ସା ପାଇଁ ଜଗନ୍ନାଥପ୍ରସାଦ ସ୍ଥିତ ଏହି ବେସରକାରୀ କ୍ଲିନିକକୁ ରବିବାର ସନ୍ଧ୍ୟାରେ ଆଣିଥିଲେ। କ୍ଲିନିକରେ ଉପସ୍ଥିତ ଥିବା ଆୟୁଷ ଡାକ୍ତର ସମୀର ପ୍ରଧାନ ସ୍ବାସ୍ଥ୍ୟ ଯାଞ୍ଚ କରିବା ଆଳରେ ନାବାଳିକାଙ୍କୁ ଏକ ବନ୍ଦ କୋଠରିକୁ ନେଇଯାଇଥିଲେ। କିଛି ସମୟ ପରେ ନାବାଳିକା ଜଣକ କାନ୍ଦି କାନ୍ଦି କୋଠରି ବାହାରକୁ ଆସିଥିଲେ। ଝିଅକୁ କାନ୍ଦୁଥିବାର ଦେଖି ମା’ ପଚାରିବାରୁ, ସେଠାରେ ତାଙ୍କ ସହ ବଳାତ୍କାର ହୋଇଥିବା ନେଇ ସେ ସମସ୍ତ ବିଷୟ ପ୍ରକାଶ କରିଥିଲେ। ତେବେ ଏତଲା ପରେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଆୟୁଷ ଡାକ୍ତର ସମୀର ପ୍ରଧାନଙ୍କୁ ଗିରଫ କରିଛି।