ବୁଡ଼ିଗଲା ବୋଟ୍‌, ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ଶନିବାର ଭିଏତନାମର ଫୁ କ୍ୱିକ୍ ଦ୍ୱୀପ ନିକଟରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ସ୍ପୀଡ୍‌ବୋଟ୍ ଦୁ୍ର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣା ଘଟିଥିବା ନେଇ ନିଶ୍ଚିତ କରିଛି ରାଜଧାନୀ ହାନୋଇ ସ୍ଥିତ ଭାରତୀୟ ଦୂତାବାସ। ଭିଏତନାମରେ ଥିବା ଭାରତୀୟ ଦୂତାବାସ କହିଛି ଯେ, ଏହା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି ଓ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ଭିଏତନାମ କର୍ତ୍ତୃପକ୍ଷ କହିଛନ୍ତି, ପ୍ରବଳ ପବନ ଓ ଉଚ୍ଚ ଢେଉ ଯୋଗୁଁ ସ୍ପିଡ୍‌ବୋଟ୍‌ଟି ଓଲଟି ପଡ଼ିଥାଇପାରେ।ତେବେ ଅତି କମ୍‌ରେ ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି। ଅନ୍ୟପକ୍ଷରେ ସ୍ପୀଡ୍‌ବୋଟ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭାରତୀୟ ଦୂତାବାସ ପକ୍ଷରୁ ଆହୁରି କହିଛି ଯେ ସ୍ଥାନୀୟ କର୍ତ୍ତୃପକ୍ଷ ଏହି ଘଟଣାର ସମ୍ପୂର୍ଣ୍ଣ ଯାଞ୍ଚ କରୁଛନ୍ତି। ଦକ୍ଷିଣ ଭିଏତନାମରେ ହୋଇଥିବା ସ୍ପୀଡବୋଟ୍ ଦୁର୍ଘଟଣା ପରେ ଭାରତୀୟ ଦୂତାବାସ ପକ୍ଷରୁ ଯେକୌଣସି ପ୍ରକାରର ସହାୟତା ପାଇଁ ହେଲପ୍ ଲାଇନ ନମ୍ବର ଜାରି କରାଯାଇଛି। ଜାରି ହୋଇଥିୂବା ପ୍ରଥମ ନିୟନ୍ତ୍ରଣ କକ୍ଷ (Control Room) ହେଲପଲାଇନ୍ ନମ୍ବର ହେଉଛି +84 36 281 7930, +84 91 552 37 14, ଏବଂ +84 33 452 0414। ସେହିପରି ହାନୋଇ ସ୍ଥିତ ଦ୍ୱିତୀୟ ନିୟନ୍ତ୍ରଣ କକ୍ଷର ହେଲପଲାଇନ୍ ନମ୍ବର ହେଉଛି +84 91 308 9165।