ମେଡିକାଲରୁ ମିଳିଥିବା ଆଣ୍ଟିବାୟୋଟିକ୍ ଔଷଧରେ ଦେଖାଦେଇଛି ପୋକ

ମେଡିକାଲରେ ମିଳୁଛି ପୋକରା ଔଷଧ । ଜଣେ ନାବାଳକକୁ ଦିଆଯାଇଥିବା ଆଣ୍ଟିଵାୟୋଟିକ ଔଷଧରୁ ବାହାରିଲା ପୋକ । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଂଜ ଉଦଳା ଥାନା ବେଗୁନିଆଡିହା ଅଂଚଳରୁ ।। ସୂଚନା ଅନୁସାରେ, ଜଣେ ନାବାଳକ ଜ୍ୱର ଓ ଥଣ୍ଡାରେ ଅସୁସ୍ଥ ହେବା ପରେ ଉଦଳା ମେଡିକାଲକୁ ଯାଇଥିଲେ । ଡାକ୍ତରଙ୍କ ପରାମର୍ଶ ଓ ପ୍ରେସକ୍ରିପସନ୍‌ ପରେ ତାଙ୍କୁ ନିରାମୟ କେନ୍ଦ୍ରରୁ ଔଷଧ ଦିଆଯାଇଥିଲା । ମେଡିସିନ୍‌ ଷ୍ଟ୍ରିପ୍‌ ଖୋଲିବା ସମୟରେ ଔଷଧ ଭିତରେ ପୋକ ଥିବା ଦେଖି ପରିବାର ଲୋକ ଚମକି ପଡ଼ିଥିଲେ । ଏପରିକି ବଟିକାରେ ଗାତ ମଧ୍ୟ ହୋଇଯାଇଥିଲା । ଯାହା ଦେଖିବା ପରେ ପରିବାର ଲୋକେ ଔଷଧ ଖାଇବାକୁ ବାରଣ କରିଥିଲେ ଏବଂ ସେବେଠାରୁ ତାଙ୍କର ଔଷଧ ଖାଇବା ବନ୍ଦ ହୋଇଛି । ଆଣ୍ଟିବାୟୋଟିକ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଔଷଧର ଏଭଳି ଅବସ୍ଥାକୁ ନେଇ ଉଠିଛି ପ୍ରଶ୍ନ ।