ଆଜି ସୋସିଆଲ ମିଡିଆ ଦିବସ

ଆମେ ଏକବିଂଶ ଶତାବ୍ଦୀରେ ଅଛୁ । ସମ୍ପ୍ରତି ଚାଲିଛି ଡିଜିଟାଲ ଯୁଗ, ଯେଉଁଠାରେ ସବୁକିଛି ସହଜରେ ଉପଲବ୍ଧ । ଏହି ଡିଜିଟାଲ ଯୁଗର ଗୋଟିଏ ପ୍ରମୁଖ ଅଂଶ ହେଉଛି ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ । ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ୍‌, ଏକ୍ସ, ୟୁଟ୍ୟୁବ୍‌, ହ୍ବାଟ୍ସଆପ୍‌, ଲିଙ୍କଡ୍‌ଇନ ଭଳି ପ୍ଲାଟଫର୍ମଗୁଡ଼ିକ କେବଳ ବନ୍ଧୁ ଓ ପରିବାର ସହ ଯୋଗାଯୋଗର ମାଧ୍ୟମ ନୁହେଁ ବରଂ ଶିକ୍ଷା, ବ୍ୟବସାୟ, ସାମ୍ବାଦିକତା, ମନୋରଞ୍ଜନ ଏବଂ ସାମାଜିକ ସଚେତନତାର ଏକ ଶକ୍ତିଶାଳୀ ମଞ୍ଚରେ ପରିଣତ ହୋଇଛି। ତେଣୁ ପ୍ରତିବର୍ଷ ଜୁନ ୩୦କୁ ‘ବିଶ୍ୱ ସୋସିଆଲ ମିଡିଆ ଦିବସ’ ଭାବେ ପାଳନ କରାଯାଉଛି। ୨୦୧୦ରେ ଆମେରିକାର ପ୍ରସିଦ୍ଧ ପ୍ରଯୁକ୍ତି ୱେବ୍‌ସାଇଟ ମାସେବଲ୍‌ ଏହି ଦିବସ ପାଳନର ଆରମ୍ଭ କରିଥିଲା।ଏବେକାର ସମୟରେ ଅନେକ କଣ୍ଟେଣ୍ଟ କ୍ରିଏଟର୍‌, ବ୍ୟବସାୟୀ ପ୍ରମୁଖ ସୋସିଆଲ ମିଡିଆ ଜରିଆରେ ସଫଳତା ହାସଲ କରୁଛନ୍ତି। ତେବେ ସୋସିଆଲ ମିଡିଆର ଅନେକ ସକାରାତ୍ମକ ଦିଗ ସହ କେତେକ ପ୍ରମୁଖ ଚ୍ୟାଲେଞ୍ଜ ମଧ୍ୟ ରହିଛି। ଭୁଲ୍‌ ଖବର ବା ଫେକ୍‌ ନ୍ୟୁଜ, ସାଇବର ଠକେଇ, ଅନଲାଇନ୍‌ ହଇରାଣ, ଗୋପନୀୟତା ଉଲ୍ଲଂଘନ ଏବଂ ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ମାନସିକ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଛି।