AI ବ୍ୟବହାର ଉପରେ ଲାଗିବ ବ୍ରେକ । ବଡ ବଡ ଟେକ୍ କମ୍ପାନୀ ମେଟା-ଆମାଜନ ର ନାପସନ୍ଦ
AIକୁ ଭବିଷ୍ୟତର ପ୍ରଯୁକ୍ତି ବୋଲି କୁହାଯାଉଥିଲେ ମଧ୍ୟ, ବଡ଼ ବଡ଼ ଟେକ୍ କମ୍ପାନୀ ଏହାର ବ୍ୟବହାରକୁ ନେଇ ଏବେ ସତର୍କ। ମେଟା, ଆମାଜନ ଭଳି କମ୍ପାନୀ AIର ସମ୍ଭାବନାକୁ ସ୍ୱୀକାର କରୁଥିଲେ ମଧ୍ୟ, ନୂଆ ମଡେଲ୍ ବିକାଶ ଓ ପରିଚାଳନାର ବଢ଼ୁଥିବା ଖର୍ଚ୍ଚ ଚିନ୍ତା ବଢ଼ାଇଛି। ଉନ୍ନତ AI ମଡେଲ୍ ତିଆରି ପାଇଁ ଉଚ୍ଚ କ୍ଷମତାସମ୍ପନ୍ନ ଚିପ୍, ଡାଟା ସେଣ୍ଟର ଓ ବିପୁଳ ବିଦ୍ୟୁତ ଆବଶ୍ୟକ ହେଉଛି। ଏହା ଫଳରେ କମ୍ପାନୀମାନଙ୍କର ପରିଚାଳନା ଖର୍ଚ୍ଚ ଦ୍ରୁତ ଗତିରେ ବଢ଼ୁଛି। ତେବେ AIରେ ହେଉଥିବା ବିଶାଳ ନିବେଶରୁ କେତେ ଶୀଘ୍ର ଲାଭ ମିଳିବ, ତାହାକୁ ନେଇ ମଧ୍ୟ ସ୍ପଷ୍ଟତା ନାହିଁ। ଏହି ଅନିଶ୍ଚିତତା ଯୋଗୁଁ ଅନେକ କମ୍ପାନୀ AI ପ୍ରକଳ୍ପକୁ ପର୍ଯ୍ୟାୟକ୍ରମେ ଆଗେଇ ନେବାକୁ ନାପସନ୍ଦ କରୁଛନ୍ତି।AI ସେବା ପ୍ରଦାନ କରୁଥିବା କମ୍ପାନୀ ଓପେନ ଏଆଇ ଓ ଆନ୍ଥ୍ରୋପିକ୍ର ବିଲ୍ ଦ୍ରୁତ ଗତିରେ ବଢ଼ୁଛି। AI ଜଗତରେ ‘ଟୋକନ୍’ ହେଉଛି ଭାଷାର ସବୁଠାରୁ ଛୋଟ ଏକକ, ଯାହା ଆଧାରରେ ବ୍ୟବହାରର ମୂଲ୍ୟ ନିର୍ଦ୍ଧାରଣ କରାଯାଏ। ପୂର୍ବରୁ କର୍ମଚାରୀମାନେ ଅଧିକରୁ ଅଧିକ ଟୋକନ୍ ବ୍ୟବହାର କରିବାକୁ ‘ଟୋକନ୍ ମ୍ୟାକ୍ସିଂ’ ଭାବେ ଦେଖୁଥିଲେ। କିନ୍ତୁ ଏବେ ‘ଟୋକନ୍ ମିନିମାଇଜିଂ’ ଅର୍ଥାତ୍ କମ୍ ଟୋକନ୍ ବ୍ୟବହାର କରୁଥିବାର ଦେଖାଯାଉଛି।ମେଟା ଓ ଆମାଜନ ଭଳି କମ୍ପାନୀରେ କର୍ମଚାରୀଙ୍କ ଟୋକନ୍ ବ୍ୟବହାରକୁ ନେଇ ଲିଡରବୋର୍ଡ ପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଉଥିଲା। କିନ୍ତୁ ଏବେ ହଜାର ହଜାର କର୍ମଚାରୀଙ୍କ AI ବ୍ୟବହାରର ଖର୍ଚ୍ଚ କମ୍ପାନୀଗୁଡ଼ିକ ପାଇଁ ବଡ଼ ଆର୍ଥିକ ଭାର ସୃଷ୍ଟି କରୁଛି। ସବ୍ସକ୍ରିପ୍ସନ୍ ଶୁଳ୍କ ସହିତ ବ୍ୟବହୃତ ପ୍ରତ୍ୟେକ ଟୋକନ୍ ପାଇଁ ମଧ୍ୟ ଅଲଗା ଦେୟ ଦେବାକୁ ପଡ଼ୁଛି। ଏହା ସହିତ ଇଞ୍ଜିନିୟରମାନେ ସାଧାରଣ ଚାଟ୍ବଟ୍ ବଦଳରେ ଜଟିଳ କାର୍ଯ୍ୟ କରୁଥିବା AI ଏଜେଣ୍ଟ ବ୍ୟବହାର କରୁଛନ୍ତି, ଯେଉଁଥିରେ ହଜାର ହଜାର ଟୋକନ୍ ଖର୍ଚ୍ଚ ହେଉଛି।