ଜୁଲାଇ ୪ରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହ

ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତା ଜୁଲାଇ ୪ ତାରିଖରେ ସେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଗୃହମନ୍ତ୍ରୀଙ୍କର ଏହି ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। ଶାହା ଜୁଲାଇ ୪ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ବରଗଡ଼ ଯିବେ। ବରଗଡ଼ରେ ୧୭୫୦ କୋଟି ଟଙ୍କାର ଇଥାନଲ ପ୍ଲାଣ୍ଟ ଉଦଘାଟନ ସହିତ ସାଧାରଣ ସଭାରେ ଉଦବୋଧନ ଦେବେ ଶାହା। ଏହାପରେ ସମ୍ବଲପୁର ଯାଇ ରାତ୍ରିଯାପନ କରିବେ। ୫ ତାରିଖରେ ସମ୍ବଲପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ।କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ଶିବିର ଏବେଠାରୁ ଚଳଚଞ୍ଚଳ ହୋଇପଡ଼ିଛି। ବରଗଡ଼ ଏବଂ ସମ୍ବଲପୁରରେ ଗୃହମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପାଇଁ ଦଳୀୟ ସ୍ତରରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।