ଆଜିଠୁ ଅଣସର ଦର୍ଶନ ଦେବେ ଶ୍ରୀଅଲାରନାଥ

ସରିଲା ସ୍ନାନଯାତ୍ରା, ଆଜିଠୁ ଅଣସର ଦର୍ଶନ । ଗତକାଲି ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବା ପରେ ବିଳମ୍ବିତ ରାତି ଯାଏଁ ହାତୀବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଶ୍ରୀଜିଉ । ଆଜିଠୁ ୧୫ଦିନ ଅଣସର ଦର୍ଶନ ଚାଲିବ । ଏହି ୧୫ ଦିନ ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥଙ୍କ ପୀଠରେ ଲାଗିବ ଭକ୍ତ ମାନଙ୍କ ଗହଳିଚହଳି ।ଏଥିପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ମନ୍ଦିର ପରିଚାଳନା କମିଟି ତରଫରୁ ମନ୍ଦିର, ବିଗ୍ରହ, ସିଂହଦ୍ୱାରରେ ଦୁଇ ସିଂହ, ଆନନ୍ଦ ବଜାରକୁ ରଙ୍ଗ ବେରଙ୍ଗରେ ସଜ୍ଜିତ କରାଯାଇଛି । ନବସ୍ଥାପିତ ଅରୁଣ ସ୍ତମ୍ଭ ପ୍ରତିଷ୍ଠା ସହିତ ମନ୍ଦିରରେ ଧ୍ୱଜାବନ୍ଧା କାର୍ଯ୍ୟ ସମାପ୍ତ ହୋଇଛି ।ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରଶାସନ ତରଫରୁ ବ୍ୟାରିକେଡ୍ର ବ୍ୟବସ୍ଥା କରାଯାଇଛି । ଯାନବାହାନକୁ ନିୟନ୍ତ୍ରଣ କରାଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।ମନ୍ଦିରରେ ୭ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି। ୫୦ରୁ ଅଧିକ ସିସିଟିଭି ଲଗାଯାଇଛି ।ବିଶ୍ୱାସ ରହିଛି ୩୬୫ ଦିନ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୂଣ୍ୟ ମିଳେ, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସମଫଳ ପ୍ରାପ୍ତି ହୋଇଥାଏ ।