କରାଚିରେ ପାକିସ୍ତାନ ରେଞ୍ଜର୍ସ ମୁଖ୍ୟାଳୟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ!କରାଚି ଅଭିଯୋଗରେ ପାକ୍କୁ ଭାରତର କଡ଼ା ଜବାବ
କରାଚୀ ଆତଙ୍କବାଦୀ ଆକ୍ରମଣରେ ଜଣେ ‘ଭାରତୀୟ ଏଜେଣ୍ଟ’ଙ୍କ ସମ୍ପୃକ୍ତି ସମ୍ପର୍କରେ ପାକିସ୍ତାନର ଅଭିଯୋଗକୁ ଭାରତ ଖାରଜ କରିଦେଇଛି, ଏହାକୁ ଭିତ୍ତିହୀନ ବୋଲି କହିଛି। ଏହା ପାକିସ୍ତାନକୁ ନିଜ ସୀମା ମଧ୍ୟରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ମଡ୍ୟୁଲଗୁଡ଼ିକୁ ନଷ୍ଟ କରିବା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛି।କରାଚିରେ ଗତ ସପ୍ତାହରେ ପାକିସ୍ତାନ ରେଞ୍ଜର୍ସର ପ୍ରାଦେଶିକ ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣରେ ୩ ଜଣ ପାକିସ୍ତାନୀ ସୁରକ୍ଷାକର୍ମୀ ଏବଂ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଆକ୍ରମଣର ଦାୟିତ୍ୱ ଜମାତ-ଉଲ୍-ଅହରାର ନାମକ ଆତଙ୍କବାଦୀ ସଂଗଠନ ନେଇଥିଲା, ଯାହାକି ତେହରିକ୍-ଇ-ତାଲିବାନ୍ ପାକିସ୍ତାନ (TTP) ସହ ଜଡିତ ବୋଲି କୁହାଯାଏ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଅନ୍ୟମାନଙ୍କୁ ଆଙ୍ଗୁଳି ଦେଖାଇବା ପରିବର୍ତ୍ତେ ପାକିସ୍ତାନ ନିଜ ଭିତର ଆଡ଼କୁ ଦେଖିବା ଉଚିତ।ତେବେ ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ୍ ନକଭି କୌଣସି ପ୍ରମାଣ ନଦେଇ ଏହି ଆକ୍ରମଣରେ “ଭାରତ ସମର୍ଥିତ ଗୋଷ୍ଠୀ”ର ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ।ଏପଟେ କରାଚି ଆକ୍ରମଣ ପରେ ପାକିସ୍ତାନ ସେନା ଆଫଗାନିସ୍ତାନର ପୂର୍ବାଞ୍ଚଳର ପାକ୍ତିଆ, ପାକ୍ତିକା ଏବଂ କୁନାର ପ୍ରଦେଶରେ ବିମାନ ଆକ୍ରମଣ କରିଛି। ପାକିସ୍ତାନର ସୂଚନାମନ୍ତ୍ରୀ ଅତାଉଲ୍ଲା ତାରାରଙ୍କ କହିବା ଅନୁସାରେ, ଏହି ଅଭିଯାନରେ ୨୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୀମାନ୍ତ ଅଞ୍ଚଳରେ ସ୍ଥଳ ଅଭିଯାନ ମଧ୍ୟ ଚାଲିଥିବା ସେ ସୂଚନା ଦେଇଛନ୍ତି ।ଅନ୍ୟପଟେ ଆଫଗାନିସ୍ତାନର ତାଲିବାନ ସରକାର ପୂର୍ବରୁ ମଧ୍ୟ ପାକିସ୍ତାନର ଏଭଳି ଅଭିଯୋଗକୁ ଅସ୍ୱୀକାର କରିଆସିଛି । କାବୁଲର କହିବା ଅନୁସାରେ, ଆଫଗାନ ଭୂମିକୁ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯାଉନାହିଁ। ବରଂ ପାକିସ୍ତାନର ବାରମ୍ବାର ବିମାନ ଆକ୍ରମଣରେ ସାଧାରଣ ନାଗରିକଙ୍କ ଜୀବନହାନି ଘଟୁଥିବା ଅଭିଯୋଗ କରିଛି କାବୁଲ।