ରାହୁଲ ଗାନ୍ଧୀଙ୍କ ସେକ୍ରେଟାରୀ କହି ହରିୟାଣାର କଂଗ୍ରେସ ନେତାଙ୍କୁ ୧୦ ଲକ୍ଷ ଟଙ୍କାର ଠକେଇ
ହରିଆଣାର ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଘଟିଛି ଚମକାଇଦେବା ଭଳି ଠକେଇ। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବ୍ୟକ୍ତିଗତ ସେକ୍ରେଟାରୀ କନିଷ୍କ ସିଂଙ୍କ ନାଁରେ ଫେକ୍ କଲ୍ କରି ଠକମାନେ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ହରିୟାଣା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଦସ୍ୟ ସଞ୍ଜୀବଙ୍କ ପାଖକୁ ଜାନୁଆରୀ ୨୪ରେ ଏକ ହ୍ୱାଟ୍ସଆପ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ରାହୁଲ ଗାନ୍ଧୀଙ୍କ ସଚିବ କନିଷ୍କ ସିଂହ ବୋଲି ପରିଚୟ ଦେଇଥିଲା। ଅଭିଯୁକ୍ତ ଜଣକ କହିଥିଲା ଯେ, ଚଣ୍ଡିଗଡ଼ରେ ଉତ୍ତରାଖଣ୍ଡ କଂଗ୍ରେସ ୟୁନିଟ୍ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି ଏବଂ ଏଥିପାଇଁ ଆର୍ଥିକ ସହାୟତା ଆବଶ୍ୟକ। ସେ ଆହୁରି ମଧ୍ୟ ପ୍ରଲୋଭନ ଦେଖାଇଥିଲା ଯେ, ପାର୍ଟିର ହାଇକମାଣ୍ଡ ସଦସ୍ୟମାନେ ଏଥିରେ ଯୋଗ ଦେବେ ଏବଂ ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରାଇ ଦିଆଯିବ। ଏହାକୁ ସତ ମନେକରି ସଞ୍ଜୀବ ଏବଂ ତାଙ୍କ ସହଯୋଗୀ ପବନ ଶର୍ମା ମିଶି ୧୦ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ। ସେହିଦିନ ରାତି ୧୧ଟା ସମୟରେ ଚଣ୍ଡିଗଡ଼ର ଏକ ହୋଟେଲ ପାର୍କିଂରେ ସେମାନେ ‘ଦୀପକ’ ନାମକ ଜଣେ ବ୍ୟକ୍ତିଙ୍କୁ ଏହି ଟଙ୍କା ହସ୍ତାନ୍ତର କରିଥିଲେ। ଟଙ୍କା ଦେବା ସମୟରେ ସେମାନେ ଅଜାଣତରେ ଦୀପକର ଏକ ଫଟୋ ଉଠାଇ ନେଇଥିଲେ। ପରଦିନ ଠକ ଜଣକ ଆଉ ୫ ଲକ୍ଷ ଟଙ୍କା ମାଗିବାରୁ ସଞ୍ଜୀବଙ୍କ ସନ୍ଦେହ ହୋଇଥିଲା। ଯେତେବେଳେ ସେ ପାର୍ଟି ଅଧିକାରୀଙ୍କୁ ପଚାରିଲେ, ଜାଣିବାକୁ ପାଇଲେ ଯେ କୌଣସି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନଥିଲା।।ଏହି ଘଟଣାରେ ପୋଲିସ ଅଧୀକ୍ଷକ (ଝଚ) ଚନ୍ଦର ମୋହନ କହିଛନ୍ତି ଯେ, ଥାନେସର ସିଟି ଥାନାକୁ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଠକେଇରେ ବ୍ୟବହୃତ ମୋବାଇଲ୍ ନମ୍ବର ଓ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣର ଯାଞ୍ଚ ଚାଲିଛି।