ଭୂମିକମ୍ପ ପ୍ରଭାବିତ ଭେନେଜୁଏଲାର ଧ୍ବଂସସ୍ତୂପ ମଧ୍ୟରେ ଦୁଇ ଦିନ ପରେ କୁନି ଝିଅ ସୁରକ୍ଷିତ ଉଦ୍ଧାର
ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ପ୍ରଥମ ଦିନ ୩୭ ଜଣ ମୃତ୍ୟୁବରଣ କରିଥିବା ପ୍ରଶାସନ କହିଥିଲା । ତେବେ ଏହି ସଂଖ୍ୟା ୯୦୦ ଟପିଛି । ଏବେସୁଦ୍ଧା ୯୨୦ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଯାହା ଆହୁରି ବୃଦ୍ଧି ପାଇପାରେ । ଏହାସହ ହଜାର ହଜାର ଲୋକ ନିଖୋଜ ଅଛନ୍ତି ।ଭଗ୍ନାବଶେଷ ମଧ୍ୟରେ ପ୍ରାୟ ୫୦ହଜାର ଲୋକ ଚାପି ହୋଇ ରହିଥିବା ଆକଳନ କରାଯାଇଛି। କାରଣ ନିଖୋଜ ଲୋକଙ୍କ ସମ୍ପର୍କରେ ପରିବାର ଓ ନିକଟ ସମ୍ପର୍କୀୟମାନେ ପ୍ରଶାସନ ନିକଟରେ ରିପୋର୍ଟ କରିଛନ୍ତି। ଭୂମିକମ୍ପରେ ସର୍ବାଧିକ ପ୍ରଭାବିତ ହୋଇଥିବା ଲା ଗୁଆଇରା ପ୍ରଦେଶରୁ ଶୁକ୍ରବାର ଏକ ୧୨ବର୍ଷର ବାଳକକୁ ଅକ୍ଷତ ଉଦ୍ଧାର କରାଯାଇଛି। ଆଉ ମଧ୍ୟ ଏକ ୧୦ ମହଲା କୋଠା ମଧ୍ୟରୁ ଏକ କୁନି ଝିଅକୁ ଉଦ୍ଧାରକାରୀ ଦଳ ଜୀବନ୍ତ ଉଦ୍ଧାର କରିଛନ୍ତି। ସେହିପରି କାରାକାସର ସାନ ବର୍ଣ୍ଣାଡିନୋରୁ ଲିଆଣ୍ଡ୍ରୋ ନାମକ ଜଣେ ଯୁବକଙ୍କୁ ମଧ୍ୟ ଜୀବନ୍ତ ଉଦ୍ଧାର କରାଯାଇଛି।ଏହି ମହାବିପତ୍ତି ଓ ଧ୍ୱଂସସ୍ତୂପ ମଧ୍ୟରୁ ଆସିଥିବା କିଛି ଚମତ୍କାରିତା ଏବେ ସେଠାକାର ଲୋକଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି। ରାଜଧାନୀ କାରାକାସ୍ରେ ଏକ ଧ୍ୱଂସସ୍ତୂପ ତଳୁ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ଏକ ଛୋଟ କୁକୁର ଛୁଆକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। କଂକ୍ରିଟ୍ ଗଦା ଭିତରେ ଚାପି ହୋଇ ରହିବା ପରେ ବି କୁକୁର ଛୁଆଟି ଜୀବନ୍ତ ଥିଲା। ଉଦ୍ଧାର ହେବା ପରେ କାରାକାସ୍ ଫାୟାର ବ୍ରିଗେଡ୍ ତାକୁ ପାଣି ପିଆଇ ନିଜ ତତ୍ତ୍ୱାବଧାନରେ ରଖିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଲୌକିକ ଉଦ୍ଧାର କାର୍ଯ୍ୟଗୁଡ଼ିକ ଭେନେଜୁଏଲାବାସୀଙ୍କୁ ଏହି ଦୁଃଖଦ ସମୟରେ ଲଢ଼ିବା ପାଇଁ ସାହସ ଦେଉଛି।