ଆଠଗଡ ରେ ଉପଖଣ୍ଡସ୍ତରୀୟ ଓଡିଶା ଦିବସ ପାଳନ ।

ଆଠଗଡ : ୦୧/୦୪ (ମାନସ ରଞ୍ଜନ ସାହୁ)ଆଠଗଡ଼ ପଞ୍ଚାୟତ ସମିତି ସମ୍ମିଳନ କକ୍ଷରେ ଆଜି ୯୦ତମ ଉପଖଣ୍ଡସ୍ତରୀୟ ଓଡିଶା ଦିବସ ସମାରୋହ ଉତ୍ସାହ ଓ ଗରିମାମୟ ପରିବେଶରେ ପାଳିତ ହୋଇଯାଇଛି। ଦିବସର ପ୍ରତ୍ୟୁଷରୁ ଉପଖଣ୍ଡ ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ବିଜ୍ଞାପିତ ଅଞ୍ଚଳରେ ରାମଧୂନ ପରିବେଷଣ କରାଯାଇଥିଲା। ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଅଞ୍ଚଳର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିବା ସହିତ ସାନମାନନୀୟ ଉପଜିଲ୍ଲାପାଳଙ୍କ ଦ୍ୱାରା ଉପଜିଲ୍ଲାପାଳ କାର୍ଯ୍ୟାଳୟ ଏବଂ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରସ୍ଥ ପ୍ରତିମୂର୍ତ୍ତିମାନଙ୍କରେ ମାଲ୍ୟାର୍ପଣ କରାଯାଇଥିଲା।ଏହାସହିତ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ପୁର୍ବାହ୍ନ ୦୮:୩୦ ଘଣ୍ଟାରେ ଏକ ସାଧାରଣ ସଭା ଆୟୋଜିତ କରାଯାଇଥିଲା। ଏହି ସାଧାରଣ ସଭାରେ ସମ୍ମାନନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରହଲ୍ଲାଦ ନାରାୟଣ ଶର୍ମା, ଭା.ପ୍ର.ସେ., ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବାବେଳେ ସମ୍ମାନନୀତ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ମାନସ ରଞ୍ଜନ ବେହେରା, ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଆକାଶ କୁମାର ପଣ୍ଡା, ତହସିଲଦାର ଶ୍ରୀ କୁଞ୍ଜ ବିହାରୀ ବଡ଼ଜେନା ଏବଂ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବିଶ୍ୱଜିତ ମହାନ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଓ ଗବେଷକ ଡକ୍ଟର ନାରାୟଣ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ।ଉପସ୍ଥିତ ଅତିଥିମାନେ ନିଜ ଅଭିଭାଷଣରେ ସମସ୍ତ ଉପସ୍ଥିତ ଅତିଥିବୃନ୍ଦ ଓ ଛାତ୍ରଛାତ୍ରୀମାନଙ୍କୁ ୯୦ତମ ଓଡିଶା ଦିବସର ଅନେକ ଶୁଭେଚ୍ଛା ଜଣାଇଥିଲେ। ସେମାନେ ଉତ୍କଳ ଦିବସର ଐତିହ୍ୟ ଓ ଓଡ଼ିଆ ଜାତିର ଗୌରବମୟ ପରମ୍ପରା ବିଷୟରେ ଆଲୋକପାତ କରିଥିବା ସହିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ଶିଷ୍ଟାଚାର ଓ ଜାତିପ୍ରେମକୁ ଜୀବନର ମୂଳମନ୍ତ୍ର ଭାବେ ଅଙ୍ଗୀକାର କରି ଭବିଷ୍ୟତରେ ଆଠଗଡ଼ ଓ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜକୁ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ।ମୁଖ୍ୟ ବକ୍ତା ଡକ୍ଟର ନାରାୟଣ ପଣ୍ଡା ନିଜ ଅଭିଭାଷଣରେ ଓଡ଼ିଆ ଜାତି ଓ ଓଡ଼ିଆ ସାହିତ୍ୟର ଐତିହାସିକ ପରିଚୟ ଉପସ୍ଥାପନ କରିଥିବା ସହିତ ଉତ୍କଳ ଦିବସ ସହ ସଂପୃକ୍ତ ବୀରମାନଙ୍କ ବୀରତ୍ୱ ଓ ତ୍ୟାଗର ପରାକାଷ୍ଠାକୁ ପ୍ରତିପାଦନ କରିଥିଲେ।


ଏହାପରେ ଓଡିଶା ଦିବସ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ଏହି ସଭାରେ ଆଠଗଡ଼ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧିମାନେ ସହ ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ସୁଶ୍ରୀ ଶ୍ୱାଶ୍ୱତୀ ପାଢ଼ୀ ସୁଚାରୁ ଭାବେ ପରିଚାଳନା କରିଥିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।