ଆମେରିକାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ

ଆମେରିକାର ଲସ୍ ଆଞ୍ଜେଲସର ସାନ୍ ଫର୍ଣ୍ଣାଣ୍ଡୋ ଭ୍ୟାଲିରେ ଏକ ନ୍ୟୁଜ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ, ଚାଟସ୍ୱର୍ଥ ଅଞ୍ଚଳର ନର୍ଥ ମେସନ୍ ଆଭେନ୍ୟୁର ୯୧୦୦ ବ୍ଲକ୍ ନିକଟରେ ଘଟିଛି ଏହି ଦୁର୍ଘଟଣା।ଦୁଇଟି ବାଣିଜ୍ୟିକ କୋଠା ମଧ୍ୟରେ ଥିବା ଅଞ୍ଚଳରେ ହେଲିକପ୍ଟରଟି ଖସିପଡ଼ିଥିଲା। ତଳେ ରହିଥିବା ଦୁଇଟି ସିପିଂ କଣ୍ଟେନର ଏବଂ ଏକାଧିକ ଗାଡ଼ି ଉପରେ ମଧ୍ୟ ଏହା ପଡ଼ିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲାଗିଯାଇଥିଲା ଭୟଙ୍କର ନିଆଁ। ଚାରିଆଡ଼େ ଧୂଆଁ ଓ ଆତଙ୍କର ମାହୋଲ୍। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଲସ୍ ଆଞ୍ଜେଲସ୍ ଅଗ୍ନିଶମ ବିଭାଗର କର୍ମଚାରୀ। ଆରମ୍ଭ ହୋଇଥିଲା ନିଆଁ ଲିଭାଇବା ଓ ଉଦ୍ଧାର କାର୍ଯ୍ୟ।ନିଆଁ ନିୟନ୍ତ୍ରଣକୁ ଆସିବା ପରେ ଘଟଣାସ୍ଥଳର ଭୟାବହ ଚିତ୍ର ସାମ୍ନାକୁ ଆସିଥିଲା। ଅଗ୍ନିଶମ କର୍ମଚାରୀ ଏବଂ ଲସ୍ ଆଞ୍ଜେଲସ୍ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିଥିଲେ।ହେଲେ ଦୁର୍ଘଟଣାବେଳେ ହେଲିକପ୍ଟରରେ କେତେ ଜଣ ଥିଲେ ତାହା ଜଣାପଡିନାହିଁ ।

ଅନ୍ୟପଟେ ଏହି ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ଘଟଣାର କାରଣ ଜାଣିବାକୁ ପୋଲିସ୍ ଏବଂ ଅଗ୍ନିଶମ ବିଭାଗ ଦୁର୍ଘଟଣାର ତଦନ୍ତ କରୁଛନ୍ତି ।