ଓପନ୍ ଏନକ୍ଲୋଜରକୁ ଯିବେ ୫ ଓରାଙ୍ଗଉଟାନ
ଚିନ୍ତାଗ୍ରସ୍ତ ଥିବା ଓରାଙ୍ଗଉଟାନ୍ଙ୍କୁ ଜଙ୍ଗଲ ଭଳି ପରିବେଶରେ ରଖିବା ପାଇଁ ଚିନ୍ତା କରୁଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ପ୍ରାକୃତିକ ବାତାବରଣରେ ଓରାଙ୍ଗଉଟାନ୍ ରହିବା ଦ୍ବାରା ସେମାନଙ୍କ ଚାପ ହ୍ରାସ ପାଇପାରେ ବୋଲି କଳନା କରାଯାଉଛି । କାଚ ଘରେ କ୍ବାରେଣ୍ଟାଇନ୍ରେ ଥିବା ପାଞ୍ଚ ଓରାଙ୍ଗଉଟାନଙ୍କୁ ଓପନ ଏନ୍କ୍ଲୋଜରକୁ ସ୍ଥାନାନ୍ତର କରିବା ପାଇଁ ବୈଷୟିକ କମିଟି ନିକଟରେ ସୁପାରିଶ କରାଯାଇଛି । ବୈଷୟିକ କମିଟି ପକ୍ଷରୁ ଗ୍ରୀନ୍ ସିଗ୍ନାଲ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।ଅନ୍ୟପକ୍ଷରେ, ଜ୍ୱରରେ ପୀଡ଼ିତ ଥିବା ପାଞ୍ଚଟି ଓରାଙ୍ଗଉଟାନ ମଧ୍ୟରୁ ଜଣଙ୍କର ଶରୀରର ତାପମାତ୍ରା ମଙ୍ଗଳବାର ଦିନ ସ୍ୱାଭାବିକ ଥିବା ଜଣାପଡ଼ିଛି।
ସୂତ୍ର ଅନୁଯାୟୀ, ପ୍ରସ୍ତାବିତ ଖୋଲା ସ୍ଥାନଟି ‘ହ୍ୟାଣ୍ଡ ରିୟରିଂ ସେଣ୍ଟର’ (HRC) ନିକଟରେ ଅବସ୍ଥିତ। ବର୍ତ୍ତମାନ ଏହି ଓରାଙ୍ଗଉଟାନ ମାନଙ୍କୁ ସେଠାରେ ଥିବା ଏକ ବନ୍ଦ ଓ ଏୟାର-କଣ୍ଡିସନ୍ଡ (AC) କକ୍ଷରେ ଦିନରାତି ତଦାରଖ ମଧ୍ୟରେ ରଖାଯାଇଛି।ଖୋଲା ଆକାଶ ତଳେ ରହିବା ଦ୍ୱାରା ସେମାନଙ୍କୁ ଅଧିକ ପ୍ରାକୃତିକ ପରିବେଶ ମିଳିବ। ଯାହା ସେମାନଙ୍କ ଶାରୀରିକ କାର୍ଯ୍ୟକଳାପ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହେବ।ଓରାଙ୍ଗଉଟାନଙ୍କ ଠାରେ ଗ୍ୟାସ ସମସ୍ୟା ଦେଖା ଦେବା ଫଳରେ 5 ଓରାଙ୍ଗଉଟାନମାନଙ୍କ ପାଇଁ ଦିଆଯାଉଥିବା ଖାଦ୍ୟ ଓ ଯତ୍ନରେ କିଛିଟା ପରିବର୍ତ୍ତନ କରାଯାଇଛି । ପ୍ରଥମେ ପ୍ରତି ୨ ଘଣ୍ଟାରେ ଥରେ ଖାଦ୍ୟ ଦିଆଯାଉଥିବା ବେଳେ ଏବେ ଦୈନିକ ପ୍ରାୟ ୩ ଘଣ୍ଟା ବ୍ୟବଧାନରେ ସେମାନଙ୍କୁ ଖାଦ୍ୟ ଦିଆଯାଉଛି । ସେମାନଙ୍କୁ ଖାଦ୍ୟରେ ଫଳମୂଳ, କ୍ଷୀର, ଲାକ୍ଟୋଜେନ୍ ଦିଆଯାଉଛି । ସେମାନଙ୍କ ଖାଦ୍ୟ, ଆଚରଣ ଓ ସ୍ୱାସ୍ଥ୍ୟଗତ ପରିବର୍ତ୍ତନ ଉପରେ ମଧ୍ୟ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିଛନ୍ତି । ଏହା ସହିତ ବିଶେଷକରି ମଶା ଦ୍ୱାରା କୌଣସି ସଂକ୍ରମଣ ନହୁଏ ସେନେଇ ସଙ୍ଗରୋଧ ଗୃହରେ ସତର୍କତା ଅବଲମ୍ବନ କରାଯାଉଛି । ମଶା ଗୃହ ମଧ୍ୟକୁ ନପଶିବା ପାଇଁ ସଙ୍ଗରୋଧ ଘର ଚାରିପଟେ ଜାଲି ସହିତ ମଶା ଔଷଧ ସିଞ୍ଚନର ବ୍ୟବସ୍ଥା ମଧ୍ୟ କରାଯାଇଛି ।