ପୁଣି ହର୍ମୁଜରେ ଆକ୍ରମଣ; ଅଶୋଧିତ ତୈଳ ମୂଲ୍ୟ ୩% ବୃଦ୍ଧି
ହର୍ମୁଜ ପ୍ରଣାଳୀ ଏବଂ ଉପସାଗରୀୟ ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଉପରେ ନିକଟରେ ହୋଇଥିବା ଆକ୍ରମଣ ବିଶ୍ୱ ଯୋଗାଣ ସଙ୍କଟକୁ ଆହୁରି ବଢ଼ାଇଛି।ଡ୍ରୋନ୍ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ ପାଇପ୍ଲାଇନ୍କୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଏହି ପାଇପଲାଇନ ସାଉଦି ଆରବ ପାଇଁ ହର୍ମୁଜ ପ୍ରଣାଳୀକୁ ଏକ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ ମାର୍ଗ ଭାବରେ କାର୍ଯ୍ୟ କରିଥିଲା। ଏହାର ବନ୍ଦ ହେବା ଯୋଗୁ ବିଶ୍ୱ ତୈଳ ଯୋଗାଣ ନେଇ ଚିନ୍ତା ବଢ଼ିଛି। ସୋମବାର ଦିନ ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୩% ବୃଦ୍ଧି ପାଇ $୧୦୭.୭୪ ଏବଂ ଆମେରିକାର ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା $୧୦୨.୯୩ ରେ ପହଞ୍ଚିଛି।ସାଉଦି ଆରବର ସରକାରୀ ଗଣମାଧ୍ୟମ ଅନୁଯାୟୀ, ହୁଥି ବିଦ୍ରୋହୀ ମାନେ ଦେଶର ଦକ୍ଷିଣ ଜାଜାନ ପ୍ରଦେଶରେ ଆକ୍ରମଣ କରି ଘର ଏବଂ ଏକ ମସଜିଦକୁ କ୍ଷତି ପହଞ୍ଚାଇଛନ୍ତି। ଏହା ବ୍ୟତୀତ ହୁଥିମାନେ ପଡ଼ୋଶୀ ପ୍ରଦେଶରେ ଥିବା ଏକ ସାଉଦି ସାମରିକ ଘାଟିକୁ ମଧ୍ୟ ଟାର୍ଗେଟ କରିଛନ୍ତି।
ସେହିପରି ବ୍ରିଟିଶ ସାମୁଦ୍ରିକ ସୁରକ୍ଷା ଏଜେନ୍ସି UKMTO ରିପୋର୍ଟ ଅନୁଯାୟୀ, ହରମୁଜ୍ ପ୍ରଣାଳୀରେ ଏକ ଜାହାଜ ଉପରେ ଆକ୍ରମଣ କରାଯାଇଥିଲା। ଯାହା ଫଳରେ ନିଆଁ ଲାଗିଯାଇଥିଲା। ଯେଉଁଥିପାଇଁ କର୍ମଚାରୀମାନଙ୍କୁ ସ୍ଥାନାନ୍ତର କରିବାକୁ ପଡିଛି।