ଏବେ ଜେଲ୍ ରୁ ମୁକୁଳିବେନି ଦାରା ସିଂ, ମୁକ୍ତି ଆବେଦନ ଖାରଜ
ଦାରା ସିଂଙ୍କ ମୁକ୍ତି ଆବେଦନ ଖାରଜ । ଏବେ ଜେଲ୍ ରୁ ମୁକୁଳିବେନି ଦାରା ସିଂ। ମୁକ୍ତିକୁ ବିରୋଧ କଲା ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ। ୧୯୯୯ର ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ଜୀବନ୍ତ ଜାଳି ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନକୁ ଖାରଜ କରିଛି ଓଡ଼ିଶାର State Sentence Review Board।ଆସନ୍ତା ସେପ୍ଟେମ୍ବର ୧୭ରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବାକୁ ଥିବା ବେଳେ ବୋର୍ଡର ଏହି ନିଷ୍ପତ୍ତି ଆସିଛି। ରିପୋର୍ଟ ଅନୁସାରେ, ଦାରା ସିଂହ ୨୬ ବର୍ଷ ୬ ମାସରୁ ଅଧିକ ସମୟ ଜେଲରେ କାଟିସାରିଛନ୍ତି। ଓଡ଼ିଶାର ୨୦୨୨ ମସିହାର ରିମିସନ୍ ନିୟମ ଅନୁସାରେ ତାଙ୍କ ଆଗୁଆ ମୁକ୍ତି ଆବେଦନ ବିଚାରଯୋଗ୍ୟ ହୋଇଥିଲା।ସେ ୨୦୨୪ରେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତେବେ ଅଗଷ୍ଟ ୩୧ରେ ହୋଇଥିବା ବିଶେଷ ବୈଠକରେ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ତାଙ୍କ ଆବେଦନକୁ ଖାରଜ କରିବାକୁ ସୁପାରିସ କରିଛି। ବୋର୍ଡର ମତରେ, ଦାରା ସିଂହଙ୍କୁ ମୁକ୍ତ କରାଗଲେ ସାମାଜିକ ପ୍ରଭାବ ପଡ଼ିବା ସହ ସାମ୍ପ୍ରଦାୟିକ ଅଶାନ୍ତିର ଆଶଙ୍କା ରହିପାରେ। କେନ୍ଦୁଝର ଜିଲ୍ଲା ପ୍ରଶାସନର ସଦ୍ୟ ରିପୋର୍ଟରେ ମଧ୍ୟ ଏହି ଆଶଙ୍କା ଉଲ୍ଲେଖ ହୋଇଥିବା କୁହାଯାଇଛି।ପୂର୍ବରୁ ୫ ଥର ଖାରଜ ହୋଇଛି ଆବେଦନ। ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନ ପ୍ରଥମ ଥର ପାଇଁ ଖାରଜ ହୋଇନାହିଁ। ୨୦୧୬, ୨୦୧୯, ୨୦୨୦, ୨୦୨୨ ଓ ୨୦୨୩ରେ ମଧ୍ୟ ତାଙ୍କ ଆବେଦନ ଖାରଜ ହୋଇଥିଲା। ସେତେବେଳେ ମଧ୍ୟ ସାମ୍ପ୍ରଦାୟିକ ସଦ୍ ଭାବ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ କାରଣ ଭାବେ ଦର୍ଶାଯାଇଥିଲା।