ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦,୫୯୯ କୋଟି ଟଙ୍କାର ରେକର୍ଡ ବ୍ୟୟବରାଦ

ବିଗତ କିଛି ବର୍ଷ ମଧ୍ୟରେ ରେଳ ବଜେଟରେ ଓଡ଼ିଶାକୁ ଦିଆଯାଇଥିବା ବ୍ୟୟବରାଦ ଉଲ୍ଲେଖନୀୟଭାବେ ବୃଦ୍ଧି ପାଇଛି। ୨୦୦୯ରୁ ୨୦୧୪ ମଧ୍ୟରେ ଏହା ବାର୍ଷିକ ହାରାହାରି ୮୩୮ କୋଟି ଟଙ୍କା ଥିବାବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ପ୍ରାୟ ୧୩ ଗୁଣ ବୃଦ୍ଧି ପାଇ ୧୦,୫୯୯ କୋଟି ଟଙ୍କାରେ ପହଞ୍ଚିଛି। ରାଜ୍ୟସଭାରେ ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ କେତେକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।୧୩ ଗୁଣା ବୃଦ୍ଧି: ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ବାର୍ଷିକ ବ୍ୟୟବରାଦ ମାତ୍ର ୮୩୮ କୋଟି ଟଙ୍କା ଥିବାବେଳେ, ଏବେ ଏହା ପ୍ରାୟ ୧୩ ଗୁଣା ବୃଦ୍ଧି ପାଇଛି। ୧ ଏପ୍ରିଲ ୨୦୨୫ ସୁଦ୍ଧା ରାଜ୍ୟରେ ୧୯ଟି ନୂଆ ରେଳ ଲାଇନ ଏବଂ ୩୦ଟି ଦୋହରୀକରଣ କାର୍ଯ୍ୟକୁ ମଞ୍ଜୁରୀ ମିଳିଛି।୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶାରେ ହାରାହାରି ବାର୍ଷିକ ୫୪ କିଲୋମିଟର ହିସାବରେ ମୋଟ ୨୬୭ କିଲୋମିଟର ନୂଆ ରେଳଟ୍ରାକ୍ ବିଛାଯାଇଥିବାବେଳେ ୨୦୧୪-୨୫ ମଧ୍ୟରେ ହାରାହାରି ବାର୍ଷିକ ୧୯୫ କିଲୋମିଟର ସହ ମୋଟ ୨୧୫୦ କିଲୋମିଟର ରେଳଟ୍ରାକ୍ ବିଛାଯାଇଛି। ୧ ଏପ୍ରିଲ୍, ୨୦୨୫ ସୁଦ୍ଧା, ମୋଟ ୪୦୧୦ କିଲୋମିଟର ଲମ୍ବ ଏବଂ ୬୭,୪୯୬ କୋଟି ଟଙ୍କା ମୂଲ୍ୟର ୪୯ଟି ପ୍ରକଳ୍ପ (୧୯ଟି ନୂତନ ଲାଇନ ଏବଂ ୩୦ଟି ଦୋହରୀକରଣ କାର୍ଯ୍ୟ ସହିତ) ମଞ୍ଜୁର କରାଯାଇଛି।