ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ଗିରଫ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ଗିରଫ । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗିରଫ ପିଇଓ ନାମ କାର୍ତ୍ତିକେଶ୍ୱର ବେହେରା । ଗତକାଲିଠାରୁ ତାଙ୍କର ପୈତୃକ ବାସଭବନ, ବାସସ୍ଥାନ, ମାର୍କେଟ କମ୍ପ୍ଲେକ୍ସ ଏବଂ ଗୋଦାମ ସମେତ ସମୁଦାୟ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା । ଚଢ଼ଉ ଓ ହିସାବ ସରିବା ପରେ ତାଙ୍କର ସମୁଦାୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟି ୮୫ ଲକ୍ଷ ଟଙ୍କାରୁ ଅଧିକ ଆକଳନ କରାଯାଇଛି । ଯାହା ମଧ୍ୟରେ ୨ କୋଟି ୬୨ ଲକ୍ଷ ୭୬ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ରହିଛି ।ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ହିସାବ ଦେଇପାରିନଥିବା ଅଭିଯୋଗ ହୋଇଛି । କାର୍ତ୍ତିକେଶ୍ୱର ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ବରଗଡ଼ର ସ୍ପେଶାଲ ଜଜ୍, ଭିଜିଲାନ୍ସଙ୍କ ଅଦାଲତରେ ହାଜର କରିଛି । ଏହାସହ ଘଟଣାରେ ଆହୁରି ତଦନ୍ତ ଜାରି ରହିଛି ।