ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ। ପ୍ରଥମ ଦିନ ଭଳି ଆଜି ମଧ୍ୟ ବିଧାନସଭା ସରଗରମ ରହିବ
ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ। ପ୍ରଥମ ଦିନ ଭଳି ଆଜି ମଧ୍ୟ ବିଧାନସଭା ସରଗରମ ରହିବ। ପାଠ୍ୟପୁସ୍ତକରେ ତ୍ରୁଟି ଓ ଏମଏମଡିଆର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ ବିଜେଡି ଓ କଂଗ୍ରେସ। ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ନୈତିକତା ଦୃଷ୍ଟିରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିକୁ ଗୃହରେ ଜୋରଦାର କରିବ ବିଜେଡି।
ଅନ୍ୟପଟେ, ଗତକାଲି ବିରୋଧୀଙ୍କ ପ୍ରବଳ ହୋ ହାଲ୍ଲା ମଧ୍ୟରେ ଗୃହରେ ୬ଟି ବିଲ୍ ଏବଂ ୨ଟି ଅଧ୍ୟାଦେଶ ଉପସ୍ଥାପିତ ହୋଇଥିଲା । ପରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ମୁଲତବୀ ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓଡ଼ିଶା ରାଜ୍ୟ ବୃତ୍ତି, ବ୍ୟାପାର, ଆଜିବିକା ଏବଂ ନିୟୋଜନ କର(ନିରସନ) ବିଲ୍ ଆଗତ କରିଥିଲେ । ସେହିପରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଭାରତୀୟ ଷ୍ଟାମ୍ପ(ସଂଶୋଧନ) ଅଧ୍ୟାଦେଶ, ୨୦୨୬କୁ ଗୃହରେ ଉପସ୍ଥାପନ କରିଥିଲେ । ତେବେ ଆଜି କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ସମବାୟ, ଶକ୍ତି, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି। ଏହାସହ ବିରୋଧୀଙ୍କ ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ମଧ୍ୟ ଦିଆଯିବ।