ଭାରତରେ ଜୀବନ ନେଇପାରେ ଏଲ୍ ନିନୋ, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ
ଶକ୍ତିଶାଳୀ ଏଲ୍ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ ଯୋଗୁ ଅତିରିକ୍ତ ଗରମ ବଢ଼ିବା ସହିତ ସାରା ବିଶ୍ୱରେ ୪ ଲକ୍ଷ ୫୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ। ଚିକାଗୋ ବିଶ୍ୱବିଦ୍ୟାଳୟର ଜଳବାୟୁ ପ୍ରଭାବ ଲ୍ୟାବ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହି ସମ୍ଭାବ୍ୟ ମାନବିକ ବିପର୍ୟ୍ୟୟ ବିଷୟରେ ଚେତାବନୀ ଦିଆଯାଇଛି। ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଗମ୍ଭୀର ଏଲ୍ ନିନୋର ପ୍ରଭାବ ଭାରତ, ଇଣ୍ଡୋନେସିଆ ଏବଂ ନାଇଜେରିଆରୁ ଆରମ୍ଭ କରି ଆମେରିକା ପର୍ୟ୍ୟନ୍ତ ବ୍ୟାପକ ଭାବରେ ଅନୁଭୂତ ହେବ।ଜଳବାୟୁ ବୈଜ୍ଞାନିକଙ୍କ ଅନୁସାରେ, ପ୍ରଶାନ୍ତ ମହାସାଗରର ଟ୍ରପିକାଲ୍ ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ୱାଭାବିକଠାରୁ ବହୁତ ଅଧିକ ହୋଇଯାଇଛି । ଏହା ଏମିତି ଏକ ସମୟରେ ଘଟୁଛି, ଯେତେବେଳେ ମାନବୀୟ କାର୍ଯ୍ୟକଳାପ ଯୋଗୁ ବିଶ୍ୱର ତାପମାତ୍ରା ପୂର୍ବରୁ ହିଁ ବଢ଼ିଛି । ଫଳରେ ଏଲ ନିନୋ ସହ ଜଡ଼ିତ ପ୍ରଭାବ ଆହୁରି ଗମ୍ଭୀର ହୋଇପାରେ। ରିପୋର୍ଟରେ ସମ୍ଭାବ୍ୟ ମରୁଡ଼ି, ବନ୍ୟା ଏବଂ ଜଙ୍ଗଲ ନିଆଁ ମୃତ୍ୟୁକୁ ଅନ୍ତର୍ଭୁକ୍ତ କରା ଯାଇନାହିଁ। ଏଲ୍ ନିନୋ କିଛି ଅଞ୍ଚଳରେ ଅତ୍ୟଧିକ ଗରମ ଏବଂ ମରୁଡ଼ି ସୃଷ୍ଟି କରିପାରେ। ଅନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ବନ୍ୟାର ଆଶଙ୍କା ରହିଛି। ଏହା କୃଷି ଉତ୍ପାଦନ, ଖାଦ୍ୟ ସୁରକ୍ଷା, ଜଳ ଉପଲବ୍ଧତା ଏବଂ ସ୍ୱାସ୍ଥ୍ୟ ସେବାକୁ ମଧ୍ୟ ପ୍ରଭାବିତ କରିପାରେ।ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ ୪ ଲକ୍ଷ ୫୧ ହଜାର ମୃତ୍ୟୁର ଆକଳନ କୌଣସି ନିଶ୍ଚିତ ଭବିଷ୍ୟବାଣୀ ନୁହେଁ । ଏହା ସମ୍ଭାବ୍ୟ ବିପଦର ଏକ ଆକଳନ। ଏହାକୁ ଆଧାର କରି ସରକାର ଓ ସ୍ଥାନୀୟ ପ୍ରଶାସନ ଆଗୁଆ ପ୍ରସ୍ତୁତି ନେଇପାରିବେ। ଏଲ୍ ନିନୋର ପ୍ରଭାବକୁ ସମ୍ପୂର୍ଣ୍ଣ ରୋକିବା ସମ୍ଭବ ନୁହେଁ । କିନ୍ତୁ ସଠିକ୍ ପ୍ରସ୍ତୁତି, ସମୟ ପୂର୍ବରୁ ଜଳବାୟୁ ବିପଦ ଚିହ୍ନଟ ଏବଂ ଅତ୍ୟଧିକ ଗରମ ସମୟରେ ଆବଶ୍ୟକ ପଦକ୍ଷେପ ନେଇ ଏହାର ମାନବୀୟ କ୍ଷତିକୁ କମାଇହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।