*ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଜାରି ; ସ୍ଥିତି ଉପରେ ନିରନ୍ତର ନଜର, ୩୩ ଓଡ୍ରାଫ୍ ଟିମ୍ ମୁତୟନ*

ଗଭୀର ଅବପାତଜନିତ ପାଣିପାଗ ପରିସ୍ଥିତି ଏବଂ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ State Emergency Operations Centre (SEOC) ସମ୍ମିଳନୀ କକ୍ଷରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି l କୋରାପୁଟ, ଗଜପତି, ନବରଙ୍ଗପୁର, ମାଲକାନଗିରି, ଗଞ୍ଜାମ, ଖୋର୍ଦ୍ଧା, ରାୟଗଡ଼ା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ ଆଦି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମସ୍ତ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରି ଜନସାଧାରଣଙ୍କ ଧନଜୀବନର ସୁରକ୍ଷାକୁ ପ୍ରାଥମିକତା ଦେଇ ପୂର୍ବ ସୂଚନା, ପ୍ରସ୍ତୁତି ଏବଂ ତ୍ଵରିତ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନିମନ୍ତେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି l

ଭାରତ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରିଛି। ୨୩ ସେପ୍ଟେମ୍ବର ୨୦୨୬ ସକାଳ ୫:୩୦ ଘଣ୍ଟା ସୁଦ୍ଧା ଏହା ୧୮.୦° ଉତ୍ତର ଅକ୍ଷାଂଶ ଓ ୮୪.୭° ପୂର୍ବ ଦ୍ରାଘିମା ନିକଟରେ ଅବସ୍ଥିତ ରହିଛି। ଏହା କଳିଙ୍ଗପଟ୍ଟନମଠାରୁ ପ୍ରାୟ ୭୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ, ଗୋପାଳପୁରଠାରୁ ୧୫୦ କିଲୋମିଟର ଦକ୍ଷିଣ, ପୁରୀଠାରୁ ୨୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମ ଏବଂ ବିଶାଖାପାଟଣାଠାରୁ ୧୫୦ କିଲୋମିଟର ପୂର୍ବ-ଉତ୍ତରପୂର୍ବ ଦିଗରେ ରହିଛି। 

ଏହି ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ସେପ୍ଟେମ୍ବର ୨୦୨୬ ରାତି ସୁଦ୍ଧା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ, କଳିଙ୍ଗପଟ୍ଟନମ ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହା ଗଭୀର ଅବପାତ ଭାବେ ଉପକୂଳ ଅତିକ୍ରମ କରିବ। 

ଏହି ପାଣିପାଗ ପ୍ରଣାଳୀର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

*୨୩ ସେପ୍ଟେମ୍ବର ସକାଳ ୮:୩୦ ଠାରୁ ୨୪ ସେପ୍ଟେମ୍ବର ସକାଳ ୮:୩୦ ପର୍ଯ୍ୟନ୍ତ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ପାଇଁ ରେଡ୍ ୱାର୍ଣ୍ଣିଂ ରହିଥିବା ବେଳେ, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ରହିଛି।*

*୨୩ ସେପ୍ଟେମ୍ବର ସକାଳ ୮:୩୦ ଘଣ୍ଟାରେ ଗତ ୨୪ ଘଣ୍ଟାର ବର୍ଷା ତଥ୍ୟ ଅନୁଯାୟୀ, ରାଜ୍ୟରେ ହାରାହାରି ୩୭.୯ ମିମି ବର୍ଷା ରେକର୍ଡ ହୋଇଛି।* ଜିଲ୍ଲାସ୍ତରରେ କୋରାପୁଟରେ ୯୩.୩ ମିମି, ଗଜପତିରେ ୭୯.୨ ମିମି, ବାଲେଶ୍ୱରରେ ୬୧.୮ ମିମି, ନବରଙ୍ଗପୁରରେ ୫୯.୬ ମିମି ଏବଂ ଗଞ୍ଜାମରେ ୫୫.୫ ମିମି ବର୍ଷା ରେକର୍ଡ ହୋଇଛି। 

*ଏହି ସମୟରେ କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ୨୩୦.୨ ମିମି ବର୍ଷା ରେକର୍ଡ ହୋଇଛି।* ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ଅନ୍ୟାନ୍ୟ ସ୍ଥାନ ମଧ୍ୟରେ କୋରାପୁଟର ଜୟପୁର ୧୬୧.୬ ମିମି, ରାୟଗଡ଼ାର ଗୁଣୁପୁର ୧୬୦ ମିମି, ଗଜପତିର ମୋହନା ୧୪୫ ମିମି, କୋରାପୁଟର ବୋରିଗୁମ୍ମା ୧୩୮.୨ ମିମି ଏବଂ ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି ୧୩୮ ମିମି ରହିଛି। 

*୩୩ ଓଡ୍ରାଫ୍ ଟିମ୍ ମୁତୟନ*

ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୩୩ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ଗଞ୍ଜାମରେ ୬, ଗଜପତିରେ ୩, କୋରାପୁଟରେ ୬, ମାଲକାନଗିରିରେ ୩, ରାୟଗଡ଼ାରେ ୩, କଳାହାଣ୍ଡିରେ ୨ ଏବଂ ବଲାଙ୍ଗିରରେ ୧ଟି ଟିମ୍ ମୁତୟନ ହୋଇଛି। 

ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ସ୍ପେଶାଲ୍ ରିଲିଫ୍ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ୍, ଆଇଏମଡି ଆଞ୍ଚଳିକ ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି, ଅଗ୍ନିଶମ ସେବା ବିଭାଗର ଆଇଜି ଶ୍ରୀ ଉମା ଶଙ୍କର ଦାସ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଦିଲୀପ ରାଉତ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲା ବେଳେ ସମ୍ପୃକ୍ତ ଜିଲ୍ଲାମାନଙ୍କର ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀବୃନ୍ଦ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ l।