ଉତ୍ତରା ପବନରେ ଥରୁଛି ଓଡ଼ିଶା; ବଢ଼ିବ ଶୀତ
ରାଜ୍ୟକୁ ଦୁଇଦିନ ହେବ ଉତ୍ତରା ପବନ ପ୍ରବାହ ବଢ଼ିଛି । ଚଳିତ ବର୍ଷ ପ୍ରଥମଥର ପାଇଁ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ। ଆସନ୍ତା ୨ଦିନ ମଧ୍ୟରେ ତାପାମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ଓ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ଗତ ୨୪ ଘଣ୍ଟାରେ ରାଜ୍ୟର ୧୬ ସ୍ଥାନର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ଓ ଏହା ତଳକୁ ଖସି ଥିଲା।ଅନ୍ୟପକ୍ଷରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ ସୋନପୁର ଏବଂ ଅନୁଗୋଳ ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇପାରେ ବୋଲି ସୂଚନା ଦିଆଯାଇଛି।ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଶନିବାର ସକାଳ ସମୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ।