ରକ୍ତାକ୍ତ ସଂଘର୍ଷ ପରେ ଅଶାନ୍ତ କଟକ, ୨୧ରୁ ଅଧିକଙ୍କୁ ଉଠାଇନେଲା ପୋଲିସ

କଟକରେ ଥମୁନି ଗୋଷ୍ଠୀ ସଂଘର୍ଷର ଉତ୍ତେଜନା। ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ସାହିର ବାସିନ୍ଦା। ଗତକାଲିର ରକ୍ତାକ୍ତ ସଂଘର୍ଷ ପରେ ଏବେ ବି ଅଞ୍ଚଳରେ ଲାଗି ରହିଛି ଉତ୍ତେଜନା। ଘଟଣାରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୧ରୁ ଅଧିକ ଜଣଙ୍କୁ ଅଟକ ରଖିଛି ପୁରୀଘାଟ ପୋଲିସ । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି କଟକ ଡିସିପି।ସୂଚନା ଅନୁସାରେ, କଟକ ପୁରୀଘାଟ ଥାନା ଅଧୀନ ଗଣେଶ ଘାଟ ଏବଂ ବୁରୁଜ ସାହି ମଧ୍ୟରେ କୌଣସି ବ୍ୟକ୍ତିଗତ ବିବାଦକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଧୀରେ ଧୀରେ ଏହି ବିବାଦ ଉଗ୍ର ରୂପ ନେଇଥିଲା। ଉଭୟ ସାହିର ଲୋକେ ମୁହାଁମୁହିଁ ହୋଇଥିଲେ। ଆରମ୍ଭ ହୋଇଯାଇଥିଲା ଢେଲା ଓ କାଚ ବୋତଲ ମାଡ଼।ଏହି ସଂଘବଦ୍ଧ ଆକ୍ରମଣରେ ଗଣେଶ ଘାଟ ସାହିର ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏପରିକି ଘଟଣାକୁ ନିୟନ୍ତ୍ରଣ କରିବା ସମୟରେ ଜଣେ ପୁଲିସ ହାବିଲଦାରଙ୍କ ସମେତ ଅନ୍ୟ କିଛି ଲୋକ ମଧ୍ୟ ଆହତ ହୋଇଛନ୍ତି।ଘଟଣା ପରେ ଆକ୍ସନ ମୋଡ୍ କୁ ଆସିଛି ପୋଲିସ । ରାତି ତମାମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସନ୍ଦିଗ୍ଧଙ୍କୁ ଅଟକ ରଖିଛି ।ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ଦୁଇ ସାହି ମଧ୍ୟରେ ଉତ୍ତେଜନା ଥମି ନଥିବାରୁ ପୋଲିସ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ।