ଓସିଏସ୍‌ ପ୍ରିଲିମ୍‌ସ ପରୀକ୍ଷା ଚାଲୁଥିବାବେଳେ ଧରାପଡ଼ିଲେ ପରୀକ୍ଷାର୍ଥୀ

କଟକ ସିଡିଏରେ ଏକ ଘରୋଇ କଲେଜରେ ଓସିଏସ୍‌ ପ୍ରିଲିମ୍‌ସ ପରୀକ୍ଷା ଚାଲୁଥିବାବେଳେ ଜଣେ ପ୍ରାର୍ଥୀଙ୍କ ଚଞ୍ଚକତା ଧରାପଡ଼ିଛି । ମୋବାଇଲ୍‌ ଲୁଚାଇ ଆଣିବା ସହିତ ଇଅର୍‌ଫୋନ୍ ବ୍ୟବହାର କରୁଥିବାବେଳେ ପ୍ରାର୍ଥୀଙ୍କୁ ପରୀକ୍ଷାକେନ୍ଦ୍ରରେ ଧରାଯାଇଛି । ଅନ୍ତଃବସ୍ତ୍ର ଭିତରେ ଥିଲା ଫୋନ୍‌ । ଲମ୍ବା ଚୁଟି ଭିତରେ ଲୁଚେଇ ରଖାଯାଇଥିଲା ଇୟର୍‌ବଡ୍‌ । ଫୋନ୍‌ କଲ୍‌ରେ ଡକାଯାଉଥିଲା ପ୍ରଶ୍ନ । ପ୍ରଶ୍ନ ଶୁଣି ଗୁଗୁଲ୍‌ ସର୍ଚ୍ଚ କରି ଜଣେ ଯୁବକ ଦେଉଥିଲେ ଉତ୍ତର ।ହଠାତ୍‌ ସ୍କ୍ୱାଡ୍‌ ପଶି ଯାଞ୍ଚ୍‌ କରିବାରୁ ଧରାପଡ଼ିଗଲେ ଛାତ୍ର ଜଣକ ।ତାଙ୍କୁ ଏଭଳି କାମରେ ସହଯୋଗ କରୁଥିବା ଆଉ ୩ ଜଣଙ୍କୁ ଧରିବା ପରେ ମର୍କତନଗର ଥାନା ପୁଲିସର ଜିମା ଦିଆଯାଇଛି । ଏହି ଘଟଣାକୁ ନେଇ ଓପିଏସ୍‌ସି ପକ୍ଷରୁ ସଂପୃକ୍ତ ପ୍ରାର୍ଥୀଙ୍କୁ ପରୀକ୍ଷା ଦେବାରୁ ବାଦ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ତେବେ ପରୀକ୍ଷା ହଲ୍‌ରେ ଅବିନାଶ ରାଉତ ନାମକ ପ୍ରାର୍ଥୀ ଅନ୍ତଃବସ୍ତ୍ରରେ ମୋବାଇଲ୍‌ ଫୋନ୍ ରଖିଥିଲେ । ପରୀକ୍ଷାକେନ୍ଦ୍ରରେ ଅବିନାଶ ପ୍ରଶ୍ନଗୁଡ଼ିକୁ ବଡ଼ ପାଟିରେ ପଢୁଥିଲେ। ବାହାରେ ଥିବା ତାଙ୍କର ତିନି ସହଯୋଗୀ ତାଙ୍କୁ ଉତ୍ତର ଡାକୁଥିଲେ। ଇଅରଫୋନ୍‌ରେ ଉତ୍ତର ଶୁଣି ଅବିନାଶ ଲେଖୁଥିଲେ । ତେବେ ବଡ଼ ପାଟିରେ ବାରମ୍ବାର ପ୍ରଶ୍ନ ପଢୁଥିବାରୁ ପରୀକ୍ଷାକେନ୍ଦ୍ର ଇନ୍‌ଭିଜିଲେଟର୍‌ଙ୍କ ସନ୍ଦେହ ହୋଇଥିଲା । ଫଳରେ ସେ ଯାଞ୍ଚ କରିବାରୁ ଅବିନାଶଙ୍କ କାରନାମା ଜଣାପଡ଼ିଥିଲା ।ଦୀର୍ଘ ଦିନ ହେବ ଯୁବକ ଜଣକ ପରୀକ୍ଷାରେ ଅକୃତକାର୍ଯ୍ୟ ହେଉଥିଲେ । ତେଣୁ ସେ ଏଭଳି ପନ୍ଥା ଆପଣାଇଥିବା ସ୍ୱୀକାର କରିଛନ୍ତି । ଏଭଳି ହାଇଟେକ୍‌ ଢଙ୍ଗରେ ଓପିଏସ୍‌ସି ପରୀକ୍ଷାରେ କପି କରାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।