ବଦଳିବ ରେଲଓ୍ୱର ୪୦ ବର୍ଷ ପୁରୁଣା ନିୟମ,ଅଗଷ୍ଟରୁ ରେଳ ଟିକେଟ୍ ବୁକିଂରେ ବଡ଼ ପରିବର୍ତ୍ତନ
ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର। ଭାରତୀୟ ରେଳବାଇ ଚାରି ଦଶନ୍ଧି ପୁରୁଣା ଟିକେଟ୍ ବୁକିଂ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ଆସନ୍ତା ଅଗଷ୍ଟ ମାସରୁ ଅତ୍ୟାଧୁନିକ ପ୍ୟାସେଞ୍ଜର ରିଜର୍ଭେସନ ସିଷ୍ଟମ ଲାଗୁ ହେବ।ଅନେକ ସମୟରେ ପର୍ବପର୍ବାଣୀ କିମ୍ବା ‘ତତ୍କାଳ’ ଟିକେଟ୍ ବୁକିଂ ସମୟରେ ୱେବସାଇଟ୍ ଧିମା ହୋଇଯାଏ କିମ୍ବା ସର୍ଭର କ୍ରାସ୍ କରେ । ନୂଆ ସିଷ୍ଟମ ଏହି ସମସ୍ୟାର ସମାଧାନ କରିବ। ଏହା ଅତ୍ୟାଧୁନିକ କ୍ଲାଉଡ୍ ଟେକ୍ନୋଲୋଜି ଉପରେ ଆଧାରିତ, ଯାହା ଏକାସାଙ୍ଗରେ ଲକ୍ଷ ଲକ୍ଷ ଟ୍ରାଞ୍ଜାକସନ୍ ସମ୍ଭାଳିବାର କ୍ଷମତା ରଖିଛି। ଫଳରେ ଯାତ୍ରୀମାନେ ପୂର୍ବ ଅପେକ୍ଷା ଅଧିକ ଦ୍ରୁତ ଗତିରେ ଏବଂ ବିନା କୌଣସି ବାଧାରେ ଟିକେଟ୍ ବୁକ୍ କରିପାରିବେ ।ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ଭବନରେ ଏହି ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବ୍ୟବସ୍ଥା ବଦଳିବା ସମୟରେ ଯାତ୍ରୀମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ, ସେଥିପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଚାଲୁଥିବା ସିଷ୍ଟମଟି ୧୯୮୬ ମସିହାରୁ ବ୍ୟବହାର କରାଯାଉଥିଲା। ଏବେ ପ୍ରାୟ ୮୮ ପ୍ରତିଶତ ଟିକେଟ୍ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ବୁକ୍ ହେଉଥିବାରୁ, ବଢ଼ୁଥିବା ଚାହିଦାକୁ ସମ୍ଭାଳିବା ପାଇଁ ଏହି ଆଧୁନିକ ଟେକ୍ନୋଲୋଜିର ସହାୟତା ନିଆଯାଉଛି।ଏହା ବ୍ୟତୀତ, ନୂତନ ‘RailOne’ ଆପ୍ ମଧ୍ୟ ଯାତ୍ରୀଙ୍କ ମଧ୍ୟରେ ଏକ କ୍ରେଜ୍ ସୃଷ୍ଟି କରିଛି । ମାତ୍ର ଏକ ବର୍ଷ ମଧ୍ୟରେ ୩.୫ କୋଟିରୁ ଅଧିକ ଲୋକ ଏହାକୁ ଡାଉନଲୋଡ୍ କରିସାରିଲେଣି ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି ଯେ, ଏହି ପରିବର୍ତ୍ତନ ପର୍ଯ୍ୟାୟକ୍ରମେ କରାଯିବ। ଅଗଷ୍ଟ ମାସରୁ ଟ୍ରେନ୍ଗୁଡ଼ିକୁ ଗୋଟିଏ ପରେ ଗୋଟିଏ ନୂଆ ସିଷ୍ଟମକୁ ସ୍ଥାନାନ୍ତର କରାଯିବ, ଯେପରି ଯାତ୍ରୀମାନଙ୍କୁ କୌଣସି ଅସୁବିଧା ନହୁଏ । ଭାରତୀୟ ରେଳବାଇର ଏହି ରୂପାନ୍ତରଣ କେବଳ ଟେକ୍ନୋଲୋଜିର ପରିବର୍ତ୍ତନ ନୁହେଁ, ବରଂ ‘ଡିଜିଟାଲ୍ ଇଣ୍ଡିଆ’ ଦିଗରେ ଏକ ଶକ୍ତିଶାଳୀ ପଦକ୍ଷେପ ।