ଆଜି ଓ ଆସନ୍ତା କାଲି ସନ୍ଧ୍ୟାରେ ଆକାଶରେ ଚମକିବେ ବୃହସ୍ପତି ଓ ଶୁକ୍ର

ଆଜି ଓ ଆସନ୍ତା କାଲି ସନ୍ଧ୍ୟାରେ ଆକାଶରେ ଚମକିବେ ବୃହସ୍ପତି ଓ ଶୁକ୍ର। ଯାହାକୁ ଖାଲି ଆଖିରେ ଦେଖିବେ ଲୋକେ। ଏଭଳି ସଂଯୋଗ ୨ବର୍ଷକୁ ଥରେ ଦୃଶ୍ୟମାନ ହେଉଥିବା ବେଳେ ଜ୍ୟୋତିର୍ବିଦମାନେ ଏହାକୁ “ଗ୍ରହ ସଂଯୋଗ” ବା ପ୍ଲାନେଟାରି କଞ୍ଜଙ୍କସନ୍ କହୁଛନ୍ତି। ଦିନକୁ ଦିନ ଗ୍ରହ ଦୁଇଟି ପରସ୍ପରର ନିକଟତର ହେବେ ଓ ୮-୯ ତାରିଖ ରାତିରେ ପୂରା ପାଖାପାଖି ଦେଖାଯିବେ । ତା’ପରେ ଶୁକ୍ର ଗ୍ରହ ଉପରକୁ ଉପରକୁ ଉଠି ବୃହସ୍ପତି ଠାରୁ ଦୂରରେ ଦେଖାଯିବ । ଗ୍ରହ ଦୁଇଟି ମହାକାଶରେ ପରସ୍ପର ନିକଟରେ ଦେଖାଗଲେ ମଧ୍ୟ ସେମାନେ ଆମଠାରୁ ସମାନ ଦୂରତାରେ ନାହାଁନ୍ତି । ଶୁକ୍ର ସୂର୍ଯ୍ୟ ଠାରୁ ପ୍ରାୟ ୧୧ କୋଟି କିଲୋମିଟର ଦୂରରେ ଥିଲାବେଳେ ବୃହସ୍ପତି ପ୍ରାୟ ୭୮ କୋଟି କିଲୋମିଟର ଦୂରରେ ସୂର୍ଯ୍ୟ ପରିକ୍ରମା କରେ । ଏପରି ଦେଖାଯିବାର କାରଣ ଏବେ ପୃଥିବୀ, ଶୁକ୍ର ଓ ବୃହସ୍ପତି ପ୍ରାୟ ଏକ ସରଳ ରେଖାରେ ଏବଂ ଶୁକ୍ର ପଛରେ ବୃହସ୍ପତି ରହିଛି । ଶୁକ୍ର-ବୃହସ୍ପତି ସଂଯୋଗ ଗତ ୧ ମାର୍ଚ୍ଚ ୨୦୨୩ରେ ହୋଇଥିଲା । ପରବର୍ତ୍ତୀ ସଂଯୋଗ ୨୬ ଅଗଷ୍ଟ, ୨୦୨୭ ସନ୍ଧ୍ୟା ଆକାଶରେ ଦେଖାଯିବ ।ଅନ୍ୟପଟେ କେବଳ ବିଜ୍ଞାନ ନୁହଁ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହାର ଏକ ସ୍ୱତନ୍ତ୍ରତା ରହିଛି । ଏମିତି ବିରଳ ଦୃଶ୍ୟ ଘଟିବାକୁ ବହୁ ବର୍ଷ ଲାଗିଥାଏ । ଆଉ ଶୁକ୍ର ଓ ବୃହସ୍ପତି ଗ୍ରହ ଏକାଠି ହେବା ଏକ ଶୁଭଙ୍କର ଘଟଣା ବୋଲି ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ ଅଛି । ଯାହା ଦ୍ୱାରା ଲୋକଙ୍କ ଜୀବନରେ ବହୁ ଭଲ ପ୍ରଭାବ ପଡ଼ିବାକୁ ଯାଉଛି । ଚାକୀରି, ବ୍ୟବସାୟ, ସେୟାର ମାର୍କେଟ , ଆର୍ଥିକ କ୍ଷେତ୍ରରେ ଏହି ସଂଯୋଗ ଏକ ସକାରାତ୍ମକ ପ୍ରଭାବ ପକାଇଥାଏ ।