କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ,ଘରୁ କେଜିଏ ସୁନା ଜବତ

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର ମୋଟର ଭେଇକିଲ୍‌ ଇନ୍ସପେକ୍ଟର (ଏମ୍‌ଭିଆଇ) ଗୋଲାପ ଚନ୍ଦ୍ର ହାଂସଦାଙ୍କୁ ଭିଜିଲାନ୍ସ ଗିରଫ କରିଛି। ରବିବାର ଗୋଟିଏ ଦିନର ଯାଞ୍ଚରେ ଗୋଲାପଚନ୍ଦ୍ରଙ୍କର ୪୪ ପ୍ଲଟ୍‌ ଥିବା ଜଣାପଡ଼ିଥିବାବେଳେ ଘରୁ କେଜିଏ ସୁନା ଓ ୨ କେଜି ରୁପା ଅଳଙ୍କାର ମିଳିଛି।ଝିଅର ମେଡିକାଲ ପାଠପଢ଼ାରେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବାବୁ ।

ଗତ କିଛି ମାସ ହେବ ଏମ୍‌ଭିଆଇ ଶ୍ରୀ ହାସଁଦାଙ୍କ ବିରୋଧରେ ଭିଜିଲାନ୍ସ ବାରିପଦା ଡିଭିଜନ୍‌ରେ ଏକାଧିକ ପିଟିସନ୍‌ ପଡିଥିଲା । ସେ କୋଟି କୋଟି ଟଙ୍କାର କଳାଧନ ଠୁଳ କରିଥିବା ଏଥିରେ ଉଲ୍ଲେଖ ରହୁଥିଲା । ଏହା ପରେ ଭିଜିଲାନ୍ସ ଅଧିକାରୀମାନେ ଖୋଳାତାଡ଼ ଆରମ୍ଭ କରିଥିଲେ । ଅଭିଯୋଗରେ ସତ୍ୟତା ଥିବା ସ୍ପଷ୍ଟ ହେବା ପରେ ଚଢ଼ଉ କରିବା ପାଇଁ ସ୍ପେଶାଲ୍‌ ଭିଜିଲାନ୍ସ କୋର୍ଟଙ୍କ ଅନୁମତି ମାଗିଥିଲେ । କୋର୍ଟ ଅନୁମତି ଦେବାପରେ ରବିବାର ସକାଳୁ ଆରମ୍ଭ ହୋଇଥିଲା ଚଢ଼ଉ । ସେହିପରି ଗୋଲାପଚନ୍ଦ୍ର ବ୍ୟାଙ୍କ, ପୋଷ୍ଟାଲ ଓ ଜୀବନବୀମାରେ ୧ କୋଟି ୩୪ ଲକ୍ଷ ୯ ହଜାର ୧୯୩ ଟଙ୍କା ରଖିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।