୨୬ ବର୍ଷ ପରେ ଜେଲରୁ ଦାରା ସିଂଙ୍କୁ ମୁକ୍ତି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ଦୀର୍ଘ ୨୬ ବର୍ଷ କାଳ ଜେଲ୍ ଦଣ୍ଡ ଭୋଗିବା ପରେ ଶେଷରେ ଜେଲ୍ ପ୍ରାଚୀରରୁ ମୁକୁଳିବାକୁ ଯାଉଛନ୍ତି ବହୁଚର୍ଚ୍ଚିତ କଏଦୀ ଦାରା ସିଂହ ଓରଫ ରବୀନ୍ଦ୍ର କୁମାର ପାଲ। ଆଗାମୀ ଅଗଷ୍ଟ ୧୫ରେ ତାଙ୍କୁ ଜେଲ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଚଳିତ ଜୁଲାଇ ୬ ତାରିଖରେ ଅନୁଷ୍ଠିତ ହୋଇଥିବା ‘ଷ୍ଟେଟ ରିଭ୍ୟୁ ବୋର୍ଡ’ ବୈଠକରେ ଭଲ ଆଚରଣ ଓ ଦୀର୍ଘ ଦିନର ସଜା କାଟିବା ଆଧାରରେ ଦାରା ସିଂହଙ୍କୁ ଜେଲ୍ ରୁ ମୁକ୍ତ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହି ଆଧାରରେ ଦାରା ସେନା ପକ୍ଷରୁ ମାମଲା ପରିଚାଳନା କରାଯାଇଥିଲା।
ଦାରା ସେନା ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଏ. ପି. ସିଂହ ଏହି ନିଷ୍ପତ୍ତି ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି। ଆଇନଜୀବୀଙ୍କ ସୂଚନା ଅନୁଯାୟୀ, ମାମଲାରେ କିଛି ବୈଷୟିକ (Technical) ସମସ୍ୟା ରହିଛି। ଯେହେତୁ ଦାରା ସିଂହ ମୂଳତଃ ଉତ୍ତର ପ୍ରଦେଶର ବାସିନ୍ଦା, ତେଣୁ ତାଙ୍କର ସ୍ଥାନୀୟ ପ୍ରଶାସନିକ ଯାଞ୍ଚ କରିବାରେ କିଛି ଅସୁବିଧା ଦେଖାଦେଉଛି।କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଅଗଷ୍ଟ ୧୫ରେ ଛଡ଼ାଯିବାର ସମ୍ଭାବନା ଅଧିକ ରହିଛି। ସେପଟେ ଦାରା ସିଂହଙ୍କୁ ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ମିଳିବା ପରେ ଦାରା ସେନା ପକ୍ଷରୁ ସୁପ୍ରିମକୋର୍ଟ, ଓକିଲ ଏପି ସିଂହ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୧୯୯୯ ମସିହାରେ କେନ୍ଦୁଝର ଜିଲ୍ଲାର ମନୋହରପୁରରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ଜୀବନ୍ତ ଜାଳିଦେବା ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।